ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ

0

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ତାତି ଅପେକ୍ଷାକୃତ କମ୍ ରହିବ। କିନ୍ତୁ ଉପାନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାତି ସାମନ୍ୟ ଅଧିକ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏହି ପୂର୍ବାନୁମାନ କରିଛି। ଏପ୍ରିଲରେ ଅଧାରୁ ଅଧିକ ଓଡ଼ିଶା ଆଶ୍ବସ୍ତ ରହିବ।

ଆଇଏମ୍‌ଡି କହିଛି, ଏପ୍ରିଲରେ ଉପାନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଫଳରେ ଗ୍ରୀଷ୍ମ ପ୍ରକୋପ ଅଧିକ ଅନୁଭୂତ ହେବ। ଅନ୍ୟପକ୍ଷେ ଉତ୍ତର ଉପକୂଳ ଓଡ଼ିଶାରେ ତଥା ସଂଲଗ୍ନ ଉପକୂଳ ଓଡ଼ିଶାରେ ତାତି ସ୍ବାଭାବିକଠାରୁ କମ୍‌ ରହିବ। ଉପକୂଳ ଓଡ଼ିଶା ଯଥା କଟକ, ଯାଜପୁର ଓ ବାଲେଶ୍ବରରେ କାଳବୈଶାଖୀ ବର୍ଷା ସ୍ବାଭାବିକ ରହିବ। ଏଣୁ ତାପମାତ୍ରା ମଧ୍ୟ ଅଧିକ ନ ହୋଇ ସ୍ବାଭାବିକ ରହିବ। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀଜନିତ ବର୍ଷା କମ୍‌ ରହିବ ଓ ତାତି ମଧ୍ୟ ଅଧିକ ରହିବ ବୋଲି ସୂଚନା ମିଳିଛି।

ଏପ୍ରିଲରେ ଉତ୍ତର-ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ଓ ଉତ୍ତର-ପୂର୍ବ ଓଡ଼ିଶାର କିଛି କିଛି ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏଥିସହ ପୂର୍ବ ଭରେତ ଓ ସଂଲଗ୍ନ ଉତ୍ତର-ପୂର୍ବ ଭାରତର ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ କମ୍‌ ରହିବ। ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଉତ୍ତର-ପୂର୍ବ ଭାରତରେ ଏପ୍ରିଲରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ‌ଆଇଏମ୍‌ଡି ସୂଚନା ଦେଇଛି।

Leave a comment