ଭାରତୀୟ ସେନାର ଅପରେସନ୍‌ ସିନ୍ଦୁର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପହଲଗାମରେ ସିନ୍ଦୁର ପୋଛିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏବେ ବଦଲା ନେଲା ଭାରତୀୟ ସେନାର ଅପରେସନ୍‌ ସିନ୍ଦୁର । ଏପ୍ରିଲ ୨୨ ବୈସାରନ ଭ୍ୟାଲିଠାରେ ଆତଙ୍କବାଦୀ ଘଟାଇଥିଲେ ବର୍ବର କାଣ୍ଡ । ଏବେ ଏହାର ୧୫ ଦିନ ପରେ ବଡ଼ ହମଲା କରିଛନ୍ତି ସ୍ଥଳ, ବାୟୁ ଓ ନୌସେନାର ମିଳିତ ବାହିନୀ । ଜୈଶ ଏବଂ ଲସ୍କର ଆଦି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଏକାଧିକ କ୍ୟାମ୍ପ ମିସାଇଲ ମାଡ଼ରେ ଛାରଖାର ହୋଇଯାଇଛି ।

ସମୟ ଥିଲା ରାତି ୧.୪୪ । ନିଘୋଡ଼ ନିଦରେ ଶୋଇଥିଲେ ଭାରତ ଏବଂ ପାକିସ୍ତାନର ସାଧାରଣ ଜନତା । ହଠାତ ଭାରତ ପକ୍ଷରୁ ନିର୍ଦ୍ଦିଷ୍ଟ ୯ ଟାର୍ଗେଟ୍‌ରେ ଆରମ୍ଭ ହୋଇଥିଲା ଲଗାତାର ମିସାଇଲ ପ୍ରହାର । ସୁଚିନ୍ତିତ ଏବଂ ବ୍ୟାପକ ପ୍ରସ୍ତୁତି ସହ ପାକିସ୍ତାନର ୪ଟି ଓ ପିଓକେର ୫ଟି ସ୍ଥାନରେ ମିସାଇଲ ମାଡ଼ କରାଯାଇଥିଲା । ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଏବଂ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ କେବଳ ପିଓକେର କିଛି ସ୍ଥାନ ଟାର୍ଗେଟ୍‌ରେ ଥିଲା । ଏଥର କିନ୍ତୁ ପାକିସ୍ତାନ ସୀମା ଭିତରର କିଛି ସ୍ଥାନରେ ମଧ୍ୟ ଆକ୍ରମଣ କରାଯାଇଛି । ଅପରେସନ୍‌ ସିନ୍ଦୁର ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇଆସିଥିବା ପାକିସ୍ତାନର ନିଦ ହଜାଇଦେଇଛି ।

Leave a comment