ପାକିସ୍ତାନ ନକଲି ମାନଚିତ୍ର ପ୍ରଦର୍ଶନ କରିବା ପରେ ଏସ୍ସିଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରୁ ଉଠି ଆସିଲେ ଅଜିତ ଡୋଭାଲ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ସଂଘାଇ କୋପରେସନ୍ ଅର୍ଗାନାଇଜେସନ୍(ଏସ୍ସିଓ)ର ସଦସ୍ୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ହେଉଥିବା ଏକ ଭର୍ଚୁଆଲ୍ ବୈଠକରେ ପାକିସ୍ତାନ ଭାରତ-ପାକ୍ ସୀମାକୁ ଭୁଲ ଭାବରେ ଚିତ୍ରଣ କରି ଏକ ମାନଚିତ୍ର ଦେଖାଇବା ପରେ ସେହି ବୈଠକରୁ ଉଠି ଚାଲିଆସିଛି ଭାରତ। ଏହି ବୈଠକରେ ପାକିସ୍ତାନୀ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଜାଣିଶୁଣି ଏକ ନକଲି ମାନଚିତ୍ର ପ୍ରସ୍ତୁତ କରି ପ୍ରଦର୍ଶନ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।ଏହା ବୈଠକର ମାନଦଣ୍ଡକୁ ଉଲ୍ଲଂଘନ କରିବା ସହିତ ଖୋଲାଖୋଲି ଭାବରେ ଅବମାନନା କରିିଛି ବୋଲି ଅଭିଯୋଗ କରିଛି ଭାରତ । ଜାଣିବାକୁ ମିଳିଛି ଯେ ଆୟୋଜକଙ୍କ ସହ ଆଲୋଚନା କରିବା ପରେ ଯାଇ ଭାରତ ସେହି ବୈଠକରୁ ଉଠି ଚାଲି ଆସିଥିଲା। ଶ୍ରୀବାସ୍ତବ ଆହୁରି ବି କହିଛନ୍ତି ଯେ ପାକିସ୍ତାନ ଏପରି କରିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ମାନଚିତ୍ରରେ କିଛି ଭାରତୀୟ ଅଞ୍ଚଳକୁ ପାକିସ୍ତାନର ଅଂଶ ଭାବେ ଚିତ୍ରଣ କରାଯାଇଛି, ଯାହାକି ଏସ୍ସିଓ ନିୟମକୁ ଉଲ୍ଲଂଘନ କରିଛି। ପାକିସ୍ତାନ ଦ୍ୱାରା ଏହି ବେଆଇନ ମାନଚିତ୍ର ପ୍ରଦର୍ଶନକୁ ନେଇ ଭାରତ ନିଜର ଦୃଢ଼ ଆପତ୍ତି ଜାରି କରିଛି। ସେଠାରେ ଉପସ୍ଥିତ ଜଣେ ସଦସ୍ୟଙ୍କ କହିବାନୁଯାୟୀ ପାକିସ୍ତାନକୁ ଏପରି ନକରିବା ପାଇଁ ଅଧ୍ୟକ୍ଷ ରାଷ୍ଟ୍ର ରୁଷ୍ ବହୁବାର କହିବା ସତ୍ତ୍ବେ ପାକିସ୍ତାନ ସେହି ମାନଚିତ୍ରକୁ ପ୍ରଦର୍ଶନ କରିଥିଲା। ଏସସିଓ ସମ୍ମିଳନୀରେ ଯୋଗ ଦେଇଥିବାରୁ ରୁଷ୍ର ଏନ୍ଏସ୍ଏ ନିକୋଲାଇ ପାଟ୍ରୋସେଭ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ଜଣାଇଛନ୍ତି। ପରବର୍ତ୍ତୀ ବୈଠକରେ ସେ ଡୋଭାଲ୍ଙ୍କୁ ଦେଖିବାକୁ ଚାହାନ୍ତି ବୋଲି ମଧ୍ୟ କହିଛନ୍ତି।