ଚୀନ୍‌ ଛାଡୁଥିବା ବିଦେଶୀ କମ୍ପାନୀଙ୍କୁ ହାତେଇବା ଲକ୍ଷ୍ୟରେ ଭାରତ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବା ପରେ କଞ୍ଚାମାଲ ଯୋଗାଣରେ ଚୀନ୍‌ରେ ବାଧା ଉପୁଜିଛି । ଉତ୍ପାଦନର ଶ୍ରୋତକୁ ବିଚାରକୁ ନେଇ ନିବେଶକଙ୍କ ଆତ୍ମବିଶ୍ୱାସରୁ ବଞ୍ଚିତ ହୋଇଛି ଚୀନ୍‌ । ଏଣୁ ଚୀନ୍‌ରୁ ନିଜର ପ୍ରତିଷ୍ଠିତ ଶିଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଶ୍ୱର ଅନେକ ପ୍ରମୁଖ କମ୍ପାନୀ ମନସ୍ଥ କରିସାରିଛନ୍ତି । ବିଶେଷ କରି ଚୀନ୍‌ରେ ବୈଦ୍ୟୁତିକ, ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ ଉପକରଣ, ଇଲେକ୍ଟ୍ରୋନିକ୍ସ, ହେଭି ଇଞ୍ଜିନିୟରିଂ ଯନ୍ତ୍ରପାତି, ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ ପଦାର୍ଥ ଏବଂ ବୟନ ସମ୍ବନ୍ଧୀୟ ଉତ୍ପାଦନ ସହିତ ଜଡ଼ିତ ଥିବା ଶିଳ୍ପ ସଂସ୍ଥାମାନେ ଏକ ବିକଳ୍ପ ସ୍ଥାନର ସନ୍ଧାନରେ ରହିଛନ୍ତି । ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତ । ଚୀନ୍‌ ଫେରନ୍ତା ବିଦେଶୀ କମ୍ପାନୀଗୁଡିକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଛି ଭାରତ । ଏହାକୁ ଏକ ପ୍ରକାର ସମୟର ସଦୁପଯୋଗ ବୋଲି କୁହାଯାଇପାରିବ । ପାଠକବନ୍ଧୁ ! ଆମେ ଜାଣିଛେ ଯେ, ଆମ ଦେଶ ଭାରତରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସଂସାଧନର ଅଭାବ ନାହିଁ । ଏଥିସହିତ ବ୍ୟବସାୟିକ ଦୃଷ୍ଟିରୁ ଭାରତ ମଧ୍ୟ ଏକ ବୃହତ୍ତ ବଜାର । ଏହିସବୁକୁ ବିଚାରକୁ ନେଇ ବିଶ୍ୱର ଅନେକ ବଡ଼ ବ୍ୟବସାୟିକ ସଂସ୍ଥାମାନେ ପୂର୍ବରୁ ସେମାନଙ୍କ ଶିଳ୍ପକୁ ଭାରତରେ ପ୍ରତିଷ୍ଠା କରିବା ପାଇଁ ଚାହିଁଥିଲେ । କିନ୍ତୁ, ଜମି ଅଧିକଗ୍ରହଣଜନିତ ସମସ୍ୟା ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ଯୋଜନାର ଚୂଡ଼ାନ୍ତ ରୂପରେଖକୁ ଛିନ୍‌ଭିନ୍‌ କରିଦେଇଥିଲା । ଏଠାରେ ମନେ ରଖିବା ଉଚିତ୍‌ ଯେ, ଅତୀତରେ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଥିବା କମ୍ପାନୀଗୁଡିକୁ ନିଜେ ଜମି ଅଧିଗ୍ରହଣ କରିବାକୁ ପଡୁଥିଲା । ଅନେକ ସମୟରେ ଏହି ପ୍ରକ୍ରିୟାରେ ବହୁତ ବିଳମ୍ୱ ଘଟୁଥିଲା । ଏହାର ପ୍ରମୁଖ କାରଣ ହେଲା ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ସ୍ଥିରୀକୃତ ଏରିଆରେ ଅନେକ ଛୋଟ ପ୍ଲଟ୍‌ଗୁଡ଼ିକ ମିଶି ରହିଥିବାରୁ ସଂପୃକ୍ତ ଜମି ମାଲିକମାନଙ୍କୁ ଯଥୋଚିତ୍ତ ସମ୍ମାନ ଦେଇ ବୁଝାମଣା କରିବା । ଏହାବାଦ୍‌ ରାଜନୈତିକ ହସ୍ତକ୍ଷେପ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟାର ଅନ୍ୟତମ କାରଣ । କିଛି ସ୍ୱାର୍ଥହିତୈଷୀ ବ୍ୟକ୍ତିମାନେ ନିଜର ରାଜନୈତିକ ମହତ୍ତ୍ୱକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଶିଳ୍ପ ପାଇଁ ସ୍ଥିରୀକୃତ ଭୂମି ଅଧିଗ୍ରହଣ ସମୟରେ ସ୍ଥାନୀୟ ଅଧିବାସୀମାନଙ୍କୁ ପ୍ରବର୍ତ୍ତାଇ ହିଂସାକାଣ୍ଡ ଭିଆଇଥାନ୍ତି । ଯାହାର ପରିଣାମ ସ୍ୱରୂପ ଅନେକ ସମୟରେ ଶିଳ୍ପ ସଂସ୍ଥାମାନେ ନିଜର ପ୍ରୋଜେକ୍ଟରୁ ଓହରି ଯାଇଥାନ୍ତି । ଖାସ୍‌ ଏହି କାରଣରୁ ପୋସ୍କୋ, ବେଦାନ୍ତ ଏବଂ ସାଉଦି ଆରାମକୋ ଭଳି ବିଶ୍ୱର ନାମୀ ସଂସ୍ଥାମାନେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିବାରେ ଅସମର୍ଥ ହୋଇଥିଲେ । ଏଣୁ ଅତୀତରୁ ଶିକ୍ଷା ଲାଭ କରି ଜମି ଅଧିଗ୍ରହଣ ସମସ୍ୟାକୁ ଆଖି ଆଗରେ ରଖି ବର୍ତ୍ତମାନ ସମୟରେ ଜାତୀୟ ସ୍ୱାର୍ଥକୁ ସର୍ବୋପରି ବିଚାର କରି କେନ୍ଦ୍ରରେ ସ୍ଥାପିତ ମୋଦୀ ସରକାର ଏହି ପ୍ରଥାକୁ ବଦଳାଇବା ପାଇଁ ରାଜ୍ୟ ସରକାରଙ୍କ ସହିତ ଉତ୍ତମ ସମନ୍ୱୟ ରଖି ନିରନ୍ତର ଭାବରେ କାର୍ଯ୍ୟ କରୁଛନ୍ତି । ଫଳସ୍ୱରୂପ ଭାରତ ସରକାର ଏକ ଲ୍ୟାଣ୍ଡପୁଲ ପ୍ରସ୍ତୁତ କରିବାରେ ସଫଳ ହୋଇସାରିଛନ୍ତି । ବିଦେଶୀ କମ୍ପାନୀଗୁଡ଼ିକୁ ସହଜରେ ଜମି ଯୋଗାଇବା ହେଉଛି ଏହି ଲ୍ୟାଣ୍ଡପୁଲର ପ୍ରମୁଖ ଲକ୍ଷ୍ୟ । ସୂଚନା ଅନୁସାରେ ଯୋଗାଇବାକୁ ଥିବା ଏହି ବ୍ୟବସାୟିକ ଜମିର ଆକାର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବହୁତ ବଡ଼ ହେବ । ଏଠାରେ ପାଠକଙ୍କ ଗୋଚରାର୍ଥେ ଉଲ୍ଲେଖ କରାଯାଇପାରେ ଯେ, କେନ୍ଦ୍ର ସରକାରଙ୍କର ଏହି ମହତ୍ତ୍ୱକାଂକ୍ଷୀ ଯୋଜନାରେ ପରୋକ୍ଷରେ ସାମିଲ ଥିବା କିଛି ପ୍ରତିଷ୍ଠିତ ଅଧିକାରୀମାନେ ବ୍ଲୁମବର୍ଗକୁ ଏ ସଂକ୍ରାନ୍ତିୟ ସୂଚନା ଦେଇସାରିଛନ୍ତି । ନିଜ ପରିଚୟକୁ ଗୋପନରେ ରଖି ଏହି ଅଧିକାରୀମାନେ କହିଛନ୍ତି ଯେ ସାରା ଦେଶରେ ୪ଲକ୍ଷ ହେକ୍ଟରରୁ ଅଧିକ ଜମି ଚିହ୍ନଟ କରାଯାଇସାରିଛି । ସେଥିମଧ୍ୟରୁ ୧ଲକ୍ଷରୁ ଅଧିକ ହେକ୍ଟର ଜମି ହେଉଛି ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ଶିଳ୍ପ ଜମି । ଏହି ଶିଳ୍ପ ଜମିକୁ ତର୍ଜମା କଲେ ଆମେ ଜାଣିପାରିବା ଯେ, ଭାରତରେ ଶିଳ୍ପାୟନ ନିମନ୍ତେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ ସେ ଯାହା ହେଉ, ଆମେ ନିଷ୍ପର୍ଷରେ ଉପନୀତ ହୋଇପାରିବା ଯେ, ବର୍ତ୍ତମାନ ପରିସ୍ଥିତିରେ ଚୀନ୍‌ ଫେରନ୍ତା କମ୍ପାନୀଗୁଡ଼ିକୁ ଭାରତରେ ନିଜର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଉ ଜମି ଅଧିଗ୍ରହଣ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏହା ବାଦ୍‌ ଯେଉଁ ଅନ୍ୟ ଛୋଟ ଛୋଟ କାରଣ ସବୁ ଶିଳ୍ପ ପ୍ରତିଷ୍ଠାରେ ବାଧକ ସାଜିଥାଏ ସେଗୁଡ଼ିକ ମଧ୍ୟରେ ଶକ୍ତି, ଜଳ, ସଡ଼କ ଓ ରେଳ ସଂଯୋଗ ହେଉଛି ପ୍ରମୁଖ । ଏହିସବୁର ସୁ-ବନ୍ଦୋବସ୍ତ ଭାରତ ସରକାର କରିପାରିଲେ ଚୀନ୍‌ ଫେରନ୍ତା କମ୍ପାନୀମାନେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା ପାଇଁ ଶ୍ରେଷ୍ଠ ବିକଳ୍ପ ଭାବେ ଭାରତକୁ ବାଛିବେ ଏଥିରେ ତିଳେ ହେଲେହେଁ ଅବକାଶ ନାହିଁ ।

Leave a comment