ଭାରତର ଚକ୍ରବ୍ୟୁହରେ ଫସିଲା ଡ୍ରାଗନ୍‌ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗତ କିଛି ଦିନ ହେବ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ତେବେ ଭାରତ ତା’ର ସାମରିକ ବିକଳ୍ପକୁ ରାସ୍ତା ଉନ୍ମୁକ୍ତ କରିବା ସହିତ କୂଟନୈତିକ ଖେଳ ମଧ୍ୟ ଜାରି ରଖିଛି । ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ଭାରତର କୂଟନୈତିକ ଖେଳ ଆଗେ ମୁଣ୍ଡ ନୁଆଁଇଛି ଚୀନ୍‌ । ସେଥିପାଇଁ ଭିତରେ ଭିତରେ ଜଳୁଛି । ଲଦ୍ଦାଖରେ ଚାଲୁରହିଥିବା ବିବାଦ ମଧ୍ୟରେ ଶନିବାର ଦିନ ଡେଲିଗେସନ ସ୍ତରର କଥାବାର୍ତ୍ତା ହେବାର ସ୍ଥିର ହୋଇଛି । ଏହାକୁ ନେଇ ସାରା ବିଶ୍ୱର ନଜର ରହିଛି । କାରଣ ଦୁଇ ପକ୍ଷଙ୍କ ମଧ୍ୟରେ ପୂର୍ବରୁ ଅନେକ ମିଟିଂ ହୋଇଥିବା ବେଳେ ସବୁଥରକ ବିଫଳ ହୋଇଛି । ଏହି ଥରର କଥାବାର୍ତ୍ତା ପାଇଁ ଭାରତ ଚୀନ୍‌କୁ ଘେରିବା ପାଇଁ ସବୁ ପ୍ଲାନ୍‌ ପ୍ରସ୍ତୁତ କରିରଖିଛି । ଏବେ ଗଲାଭାନ୍‌ ଘାଟୀ ସହ ଅନେକ ଅଞ୍ଚଳରେ ଦୁଇ ପକ୍ଷରୁ ସେନା ସାମନା ସାମନି ଏବଂ ଅଶାନ୍ତି ଚରମ ସୀମାରେ।କୁହାଯାଉଛି କି ଏହି ବୈଠକରେ ୪-୫ଟି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇପାରେ । ଆସନ୍ତା କାଲି ହେବାକୁ ଥିବା ଏହି କଥାବାର୍ତ୍ତାରେ ଭାରତର ନେତୃତ୍ୱ ଲେଫ୍ଟେନାଣ୍ଟ ଜେନେରାଲ ହରିନ୍ଦର ସିଂହ କରିବେ । ତାଙ୍କ ସହ ମେଜର ଜେନେରାଲ ବାପଟ ଓ ବ୍ରିଗେଡିୟର ଏବଂ କର୍ଣ୍ଣଲ ସ୍ତରର ଅଧିକାରୀ ମଧ୍ୟ ସାମିଲ୍‌ ହେବେ । ଏହି ବୈଠକରେ ୪-୫ଟି ମୁଖ୍ୟ ପ୍ରସଙ୍ଗରେ କଥାବାର୍ତ୍ତା ହେବ । ଚୁଶୁଲ-ମୋଲଦୋ ସୀମାରେ ଭାରତ ୪-୫ ସ୍ଥାନକୁ ନେଇ ଚୀନ୍‌କୁ ଘେରିବ । ପାଙ୍ଗୋଗ ଶୋ ହ୍ରଦ , ଗୋଗରା-ହଟ୍ ସ୍ପ୍ରିଙ୍ଗ ଏରିଆ ଓ ଗଲଭାନ ଘାଟୀରେ କଥାବାର୍ତ୍ତା ପାଇଁ ଭାରତର ଚକ୍ରବ୍ୟୁହ ପୂରା ପ୍ରସ୍ତୁତ ହୋଇଛି । ଏଥିସହିତ ମିଟିଂରେ ରଣନୀତି ଦୃଷ୍ଟିରୁ ମୁଖ୍ୟ ଗଲଭାନ ଅଞ୍ଚଳକୁ ନେଇ ଭାରତ ଚୀନ୍‌ ସହ କଥା ହେବ । ଏହାସହ LACର ପାଖାପାଖି ଚୀନ୍‌ର ବଙ୍କର ତିଆରି କରିବାରେ ଆଲୋଚନା ହେବ । ଭାରତ ଚୀନ୍‌କୁ ଏମିତି କାମ କରିବାରୁ ନିବୃତ ରହିବାକୁ କହିପାରେ । ତେବେ ଭାରତ ଉଭୟ ସାମରିକ ଓ କୂଟନୈତିକ ବିକଳ୍ପକୁ ଏକ ସମୟରେ ପ୍ରୟୋଗ କରି ଡ୍ରାଗନ୍‌କୁ ଧରାଶାୟୀ କରିବାରେ ସମସ୍ତ ଶକ୍ତି ବିନିଯୋଗ କରିସାରିଛି । ଏନେଇ ସୁଫଳ ମଧ୍ୟ ମିଳିବାରେ ଲାଗିଛି । ବିଶ୍ୱର ଅନେକ ସାମରିକ ଶକ୍ତିଶାଳୀ ଦେଶ ଡ୍ରାଗନ୍‌ ସହିତ ଉତ୍ତେଜନା ସମୟରେ ଭାରତକୁ ଖୋଲା ସମର୍ଥନ ଜାହିର କରିଛନ୍ତି । ଇସ୍ରାଏଲ୍‌ଠାରୁ ଧରି ଜାପାନ ପର୍ଯ୍ୟନ୍ତ, ଅଷ୍ଟ୍ରେଲିଆଠାରୁ ଧରି ଆମେରିକା ପର୍ଯ୍ୟନ୍ତ ସମସ୍ତେ ଡ୍ରାଗନ୍‌ର ବିସ୍ତାବାଦୀ ନୀତିରେ ଅତିଷ୍ଠ ହୋଇ ଭାରତକୁ ନିଃସର୍ତ୍ତ ସାମରିକ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି । ଏହିସବୁକୁ ଲକ୍ଷ୍ୟ କଲେ ଚୀନ୍‌ ବର୍ତ୍ତମାନ ଭାରତର ଚକ୍ରବ୍ୟୁହରେ ଫସିଯାଇଥିବାର ହୃଦ୍‌ବୋଧ କରୁଛନ୍ତି ପ୍ରତିରକ୍ଷା ବିଶେଷଜ୍ଞମାନେ ।

Tags: National

Leave a comment