କାନ୍ଦି କହିଲେ ୨୪ରେ ନିର୍ବାଚନ ଲଢ଼ିବେ ନାହିଁ, ଠିକ ସମୟରେ ବେପାରୀଙ୍କ ମୁଖା ଖୋଲିବେ ପ୍ରସାଦ ହରିଚନ୍ଦନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ଲଢିବେ ନାହିଁ ପୂର୍ବତନ ପିସିସ ସଭାପତି ପ୍ରସାଦ ହରିଚନ୍ଦନ । ଆଜି ପ୍ରେସମିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅନ୍ୟ ଦଳକୁ ଯିବାନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ବିଜେପି କି ବିଜେଡ଼ିକୁ ଯିବିନାହିଁ। ମୁଁ ବେପାରୀ ନୁହେଁ । ମୁଁ କଂଗ୍ରେସର ପ୍ରଚାର ଓ ପ୍ରସାର କରିବି। ମୋ ପାଖରେ ଖଣିନାହିଁ, କାଗଜ ନାହିଁ କି ଟିଭି ନାହିଁ। ଯେଉଁମାନେ ମୋ ବିଷୟରେ ଅପପ୍ରଚାର କରୁଛନ୍ତି ସେମାନେ କିଭଳି ବେପାର କରୁଛନ୍ତି ତା’ର ପୁରା ଦସ୍ତାବିଜ ଖୁବଶୀଘ୍ର ପ୍ରକାଶ କରିବି ବୋଲି କହିଛନ୍ତି। ଏହି ପ୍ରେସମିଟରେ ସେ କାନ୍ଦି ପକାଇଥିଲେ ।

ସୂଚନା ଅନୁଯାୟୀ, ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଏଥିପାଇଁ ସ୍ଥାନୀୟ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଦାୟୀ ଚର୍ଚ୍ଚା ହେଉଥିଲା । ଏପରିକି ସତ୍ୟବାଦୀ କଂଗ୍ରେସ ଶୂନ୍ୟ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେନେଇ ସାମ୍ବାଦିକ ସମ୍ମଳନୀରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ । ପ୍ରସାଦ କହିଛନ୍ତି, ଶେଷ ମୁହୂର୍ତ୍ତରେ ମୋତେ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ ମିଳିଥିଲା । ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁନଥିବାରୁ ମନା କଲି । ଟିକେଟ କାହାକୁ ମିଳିବ କି ନାହିଁ ତାହାର ଦାୟିତ୍ୱ ପିସିସି ସଭାପତିଙ୍କର । ସତ୍ୟବାଦୀରେ ୧୯୯୫ ମସହାରୁ ଆମେ ଭଲ ପ୍ରଦର୍ଶନ କରି ଆସିଛୁ ।
ଏହାଛଡା ପ୍ରସାଦ କହିଛନ୍ତି, ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି ମଧ୍ୟ । କିନ୍ତୁ ୨୦୨୪ ନିର୍ବାଚନ ଲଢିବି ନାହିଁ । ଯେଉଁମାନେ କହୁଥିଲେ ମୁଁ ବିଜେଡି ସମ୍ପର୍କରେ ଅଛି ସେମାନେ ପ୍ରମାଣ ଦିଅନ୍ତୁ । ମୋ ଘର ହେଉଛି କଂଗ୍ରେସ, ଏଠାରେ ଅଛି, ରହିବି । ଦଳ ପାଇଁ କାମ କରିବି । ମୁଁ କାହା ସହ ଡିଲ୍ କରିନି କି ମୋ ନାଁରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ । ମୁଁ ୩ବର୍ଷ ନୁହେଁ, ୩୩ବର୍ଷ ହେଲା ଘରୁ ବାହାରି ନାହିଁ। ଆଉ ମୋ ଘର ହେଉଛି କଂଗ୍ରେସ ଭବନ। ୨୦୦୨ରୁ ମୋତେ ଅନ୍ୟ ଦଳକୁ ନେବାକୁ ଚେଷ୍ଟା କରାଯାଇଛି । କିନ୍ତୁ ମୁଁ ଯାଇନାହିଁ । ସତ୍ୟବାଦୀରେ କଂଗ୍ରେସର ଲଢେଇ ବିଜେପି ଓ ବିଜେଡି ସହ ହେବା କଥା କିନ୍ତୁ ଏଠାରେ ଲଢେଇ କଂଗ୍ରେସର କଂଗ୍ରେସ ସହ ହେଉଛି । ଓଡ଼ିଶାରେ କଂଗ୍ରେସକୁ ଆଗକୁ ନେବାକୁ ହେଲେ ଏକଜୁଟ୍ ହୋଇ ଲଢିବାକୁ ପଡିବ । ମୁଁ ଏଯାଏଁ ଅସ୍ତ୍ର ତ୍ୟାଗ କରିନି । ନିର୍ବାଚନ ଲଢିବିନି କିନ୍ତୁ ଦଳ ପାଇଁ କାମ କରିବି । ମୋ ପାଖରେ ବହୁ ନେତାଙ୍କର ଦସ୍ତାବିଜ ଅଛି, ନିର୍ବାଚନ ପରେ ସେମାନଙ୍କ ଗୁମର ଖୋଲିବି । କିଛି ଏଭଳି କହି ପ୍ରସାଦ ନିଜର ଆଗାମୀ ରାଜନୈତିକ କ୍ୟାରିୟର ବାବଦରେ ସ୍ପଷ୍ଟ କରିବା ସହ ତାଙ୍କୁ ନେଇ ଯେଉଁ ଅପପ୍ରଚାର ହେଉଥିଲା ତାହାର ମୁହଁତୋଡ ଜବାବ ଦେଇଛନ୍ତି ।
ସେହିପରି ପ୍ରସାଦ ସତ୍ୟବାଦୀରେ ଟିକେଟ ନବାଣ୍ଟିବା କଥା ସାମ୍ନାକୁ ଆସବା ପରେ ଜଟଣୀର ବିଧାୟକ ତଥା ତାଙ୍କ ଶ୍ୱଶୁର ସୁର ରାଉତରାୟ କହିଥିଲେ ଦଳ ପକ୍ଷରୁ ତାଙ୍କୁ ଉଚିତ ସଂମ୍ମାନ ନମିଳିବାରୁ ସେ ଅଭିମାନରେ ସେପରି କରିଛନ୍ତି । ଅପରପକ୍ଷରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରଠାରୁ ପ୍ରସଦଙ୍କୁ ଯେପରି ଦଳ ଭୁଲିଯାଇଥିଲା । ତାଙ୍କର ରାଜ୍ୟ କଂଗ୍ରେସରେ କୌଣସି ଅସ୍ତିତ୍ବ ନଥିଲା ପରି ମନେହେଉଥିବା ପ୍ରସଦଙ୍କୁ ଖୁବ ଦୁଃଖିତ କରିଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ ପିସିସି ସଭାପତି ନିରଞ୍ଜନ ନିଜେ ଟିକେଟ ବଣ୍ଟନ କରିଥିଲେ । ତେବେ ଆଜି ଯେତେବେଳେ ସମଗ୍ର ରାଜ୍ୟରେ କଂଗ୍ରେସ ନିଜ ସତ୍ତା ହରାଇ ବସିଛି ଏସମୟରେ ପ୍ରସାଦଙ୍କୁ ଶେଷ ମୁହୂର୍ତ୍ତରେ ସତ୍ୟବାଦୀରେ ଟିକେଟ ବାଣ୍ଟିବାକୁ ଦିଆଯିବା କ’ଣ ନିରଞ୍ଜନଙ୍କ ନିଜ ମୁଣ୍ଡରୁ କଂଗ୍ରେସକୁ ବୁଡ଼ାଇବା ଦୋଷ ଖସିବା ଏକ ଚାଲ ବୋଲି ଚର୍ଚ୍ଚା ହେଉଛି ।