ଆଇସିସି ଟେଷ୍ଟ ର୍ୟ୍ୟାାଙ୍କିଙ୍ଗରେ ଜାଡେଜା ନଂ-୧ ଅଲରାଉଣ୍ଡର
ଓଡ଼ିଶାଫାଷ୍ଟ (ବ୍ୟୁରୋ): ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଷ୍ଟ ର୍ୟାଙ୍କିଙ୍ଗରେ ଭାରତୀୟ କ୍ରିକେଟର ୱେଷ୍ଟଇଣ୍ଡିଜ କ୍ୟାପଟେନ ଜାସନ ହୋଲ୍ଡର ୨୮ ରେଟିଂ ପଏଣ୍ଟ ହରାଇବା ପରେ ଦ୍ୱିତୀୟ ସ୍ଥାନରେ ଥିବା ଜାଡେଜା ୨୦୧୭ ଅଗଷ୍ଟ ପରେ ପୁଣିଥରେ ଶୀର୍ଷସ୍ଥାନ ମଣ୍ଡନ କରିଛନ୍ତି । ଏବେ ତାଙ୍କ ରେଟିଂ ପଏଣ୍ଟ ୩୮୬ ଅଛି, ଯାହା ହୋଲ୍ଡର୍ଠାରୁ ୨ ପଏଣ୍ଟ ଅଧିକ । ଅନ୍ୟପକ୍ଷରେ ସେଣ୍ଟ ଲୁସିଆରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚରେ ଟପ୍ ସ୍କୋରର ରହି ସାଉଥ୍ ଆଫ୍ରିକାକୁ ୧୫୮ ରନରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିବା କ୍ୱିଣ୍ଟନ ଡି’ କକ ବ୍ୟାଟିଂ ର୍ୟାଙ୍କିଙ୍ଗର ଟପ୍ -୧୦ରେ ପ୍ରବେଶ କରିଛନ୍ତି । ପ୍ରଥମ ଟେଷ୍ଟରେ ଡି’ କକଙ୍କ ୯୬ ରନର ଇନିଂସ ତାଙ୍କୁ ୨ଟି ସ୍ଥାନର ଲାଭ ହୋଇଥିଲା । ଫଳରେ ସେ ୧୦ମ ସ୍ଥାନକୁ ଉଠିବା ସହ ୧୮ ମାସ ପରେ ସେ ପୁଣିଥରେ ଟପ୍ ୧୦କୁ ଫେରିଥିଲେ । ପୂର୍ବରୁ ୨୦୧୯ ଡିସେମ୍ବରରେ ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ୍ କ୍ୟାରିୟର ବେଷ୍ଟ ୬ଷ୍ଠ ସ୍ଥାନରେ ଥିଲେ । ଅନ୍ୟତମ ବାମହାତୀ ବ୍ୟାଟ୍ସମ୍ୟାନ ସାଉଥ ଆଫ୍ରିକା ଅଧିନାୟକ ଡିନ ଏଲଗାର ୭୭ ରନର ଇନିଂସ ସହାୟତା ଗୋଟିଏ ସ୍ଥାନର ଉନ୍ନତି ସହ ୧୯ତମ ସ୍ଥାନକୁ ଉଠିଛନ୍ତି । ଦ୍ୱିତୀୟ ଇନିଂସରେ ଅପରାଜିତ ୭୫ ରନ କରିଥିବା ରାସି ଭାନ ଡର ଡୁସେନ ୩୧ଟି ସ୍ଥାନର ଲମ୍ଫ ପ୍ରଦାନ କରି ୪୩ତମ ସ୍ଥାନରେ ପହଞ୍ଚିଛନ୍ତି ।