ଆଇସିୟୁରେ ମୁଖତାର୍ ଅନସାରୀ

0

ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର୍ ଅନସାରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ମଧ୍ୟରାତ୍ରିରେ ରାଣୀ ଦୁର୍ଗାବତୀ ମେଡିକାଲ୍ କଲେଜର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏଥି ସହିତ ପୋଲିସ ପ୍ରଶାସନ ମେଡିକାଲ କଲେଜର ଆଇସିୟୁ ଜୋନକୁ ଏକ କ୍ୟାଣ୍ଟନମେଣ୍ଟରେ ପରିଣତ କରିଛି।

ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଜେଲ ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି। ଦୁଇ ଦିନ ପୂର୍ବେ ମୁଖତାର୍ ଅନସାରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁ ସରକାର ଜଣେ ଜେଲର ଏବଂ ଦୁଇ ଜଣ ଡେପୁଟି ଜେଲରଙ୍କୁ ନିଲମ୍ବିତ କରିଥିଲେ। ମାର୍ଚ୍ଚ ୧୯ ରେ ତାଙ୍କୁ ଦିଆଯାଇଥିବା ଖାଦ୍ୟ ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ବୋଲି ‌ମୁଖତାର୍ ବିଚାରପତିଙ୍କୁ ଲେଖିଥିବା ପ୍ରାର୍ଥନା ପତ୍ରରେ ଉଲ୍ଲେଖ କରିଥିଲେ।

ତାଙ୍କ ଭର୍ଚୁଆଲ୍ ହାଜରରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା ନେଇ କୋର୍ଟରେ ସେ ଜେଲ୍ ପ୍ରଶାସନ ବିରୋଧରେ ଅଭିଯୋଗ କରିଥିଲେ। ଗତ ଏକ ସପ୍ତାହ ଧରି ତାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହୋଇ ଯାଉଥିଲା। ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଗୁପ୍ତରେ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ମୁଖତର ଅନସାରୀଙ୍କ ଭାଇ ଆଫଜଲ ଅନସାରୀ ଏବଂ ପରିବାର ଅପରାହ୍ନ ସୁଦ୍ଧା ବାନ୍ଦାରେ ପହଞ୍ଚିବେ।

କୁହାଯାଉଛି ଯେ ଜେଲ ଅଧୀକ୍ଷକ ମୁଖତାର ଅନସାରୀଙ୍କ ବିଷୟରେ ବାନ୍ଦା ମେଡିକାଲ କଲେଜକୁ ଚିଠି ଲେଖିଛନ୍ତି। ଏଥିରେ ମୁଖତାରଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଥିଲା। ଏଥିସହିତ ମେଡିକାଲ କଲେଜ ଦଳ ଜେଲରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିବା ଦେଖିଥିଲେ। ଏହା ପରେ ତାଙ୍କୁ ମେଡିକାଲ କଲେଜକୁ ରେଫର୍ କରାଯାଇଥିଲା, ଯେଉଁଠାରେ ସେ ଆଇସିୟୁରେ ଅଛନ୍ତି।

Leave a comment