୫ଟି ମହାନଗର ନିଗମରେ ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା

0

ସହରରେ ଖଣ୍ଡିଏ ଘର ମିଳିବାର ସ୍ବପ୍ନ ସାକାର ହେବ। ସବୁ ଗରିବଙ୍କ ମୁଣ୍ଡ ଉପରେ ରହିବ ଛାତ । ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା । ମିଳିବ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ଠାରୁ ଆରମ୍ଭ କରି କମ୍ୟୁନିଟି ହଲ୍‌ ପରି ୯ ମୌଳିକ ତଥା ସହରୀ ସୁବିଧା। ୫ଟି ମହାନଗର ନିଗମ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ଭୂମିହୀନ ଗରିବଙ୍କୁ ୩୦ ବର୍ଗ ମିଟରରୁ ୪୫ ବର୍ଗମିଟର ଜମି ମାଗଣାରେ ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ ହୋଇଛି ।

ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଚଳାଇଛି। ଏହାଦ୍ବାରା ଭୁବନେଶ୍ବରରେ ୪୩୬ଟି ବସ୍ତି ଓ କଟକରେ ୨୭୨ଟି ବସ୍ତିବାସିନ୍ଦାଙ୍କ ବହୁ ଦିନର ସ୍ବପ୍ନ ସାକାର ହେବ। ସେହିପରି ଅନ୍ୟ ମହାନଗରରେ ମଧ୍ୟ ଅନୁରୂପ ସୁବିଧା ମିଳିବ। ମହାନଗର ଅଞ୍ଚଳରେ ଜମି ଚିହ୍ନଟ ସମୟସାପେକ୍ଷ ହୋଇଥିବାରୁ ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବେନଶ୍ବରରେ ଡ୍ରୋନ ଯୋଗେ ଜମି ଚିହ୍ନଟ ପାଇଁ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିବେ । ଜମି ଚିହ୍ନଟ ପରେ ଆସନ୍ତାବର୍ଷ ସୁଦ୍ଧା ହିତାଧିକାରୀ ଚିହ୍ନଟ କରାଯାଇ ଜମି ପଟ୍ଟା ବଣ୍ଟନ କରାଯିବ। ନିର୍ବାଚନ ସମୟରେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବ ।

Leave a comment