ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ମୋଟ ୩୮୫ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ରାଜ୍ୟର ପ୍ରାୟ ୨୬ ଲକ୍ଷ ନିର୍ମାଣ ଶ୍ରମିକ ଉପକୃତ ହେବେ । କରୋନା ମହାମାରୀ ସମୟରେ ନିର୍ମାଣ ଶ୍ରମିକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
ଦୁର୍ଦ୍ଦିନରେ ଦିନ କାଟୁଥିବା ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ମୋଟ ୩୮୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସହାୟତା ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ନିର୍ମାଣ ଶ୍ରମିକ ଜଣେ ଜଣେ ବିଶ୍ବକର୍ମା । ସେମାନଙ୍କ ଅବଦାନ ବେଶ ପ୍ରଶଂସନୀୟ । ତେଣୁ ଏଭଳି ଦୁଃସ୍ଥିତିରେ ସେମାନଙ୍କୁ ସହାୟତା କରାଯିବା ନିହାତି ଆବଶ୍ୟକ ।