ଏଣିକି ଆରଏସ୍ଏସ୍ ର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ସରକାରୀ କର୍ମଚାରୀ

ଜାତୀୟ ସ୍ବଂୟ ସେବକ ସଂଘ(ଆରଏସ୍ଏସ୍)ର କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ଭାଗ ନେବା ଉପରେ କଟକଣା ହଟାଇଛନ୍ତି କେନ୍ଦ୍ର ସରକାର । ବିଜେପି ଆଇଟି ବିଭାଗର ମୁଖ୍ୟ ଅମିତ ମାଲବୀୟ ନିର୍ଦେଶର ସ୍କ୍ରିନ୍ସଟ୍ ସେୟାର କରିଛନ୍ତି ଓ କହିଛନ୍ତି ୫୮ ବର୍ଷ ପୂର୍ବେ ଜାରି ଏକ ଅଣସମ୍ବିଧାନିକ ନିର୍ଦେଶକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ପ୍ରତ୍ୟାହାର କରି ନେଇଛନ୍ତି।
କଂଗ୍ରେସ ମହାସଚିବ(ସଞ୍ଚାର) ଜୟରାମ ରମେଶ ମଧ୍ୟ କାର୍ମିକ, ଲୋକ ଅଭିଯୋଗ ଓ ପେନଶନ୍ ମନ୍ତ୍ରଣାଳୟ ଦ୍ବାରା ୯ ଜୁଲାଇରେ ଜାରି ଏକ କାର୍ଯ୍ୟାଳୟ ଜ୍ଞାପନ ସେୟାର କରିଛନ୍ତି, ଯାହାକି ଆରଏସଏସ୍ର କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ଭାଗିଦାରୀ ସମ୍ପର୍କିତ ଅଟେ। ସେହି ନିର୍ଦେଶରେ କୁହାଯାଇଛି ଯେ, ଉପଯୁକ୍ତ ନିର୍ଦେଶର ସମୀକ୍ଷା କରାଯାଇଛି ଓ ଏହି ନିଷ୍ପତ୍ତି ନିଆଯାଇଛି ଯେ, ୩୦ ନଭେମ୍ବର ୧୯୬୬, ୨୫ ଜୁଲାଇ ୧୯୭୦ ଓ ୨୮ ଅକ୍ଟୋବର ୧୯୮୦ ସମ୍ପର୍କିତ କାର୍ଯ୍ୟାଳୟ ଜ୍ଞାପନରୁ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ଉଲ୍ଲେଖ ହଟାଇ ଦିଆଯାଉ।’
ନିର୍ଦେଶର ଫଟୋ ସହିତ ଏକ ପୋଷ୍ଟରେ ରମେଶ କହିଛନ୍ତି, ଫେବୃଆରୀ ୧୯୪୮ରେ ଗାନ୍ଧିଜୀଙ୍କ ହତ୍ୟା ପରେ ସର୍ଦ୍ଦାର ପଟେଲ ଆରଏସଏସ୍ ଉପରେ କଟକଣା ଲଗାଇ ଦେଇଥିଲେ। ଏହାପରେ ଭଲ ଆଚରଣର ଆଶ୍ବାସନା ପରେ କଟକଣା ହଟାଇ ଦିଆଯାଇଥିଲା। ଏହାପରେ ଆରଏସ୍ଏସ୍ ନାଗପୁରରେ କେବେ ତ୍ରୀରଙ୍ଗା ଉଡାଇନଥିଲା। ୧୯୬୬ ରେ ଆରଏସ୍ଏସ୍ର କାର୍ଯ୍ୟକ୍ରମରେ ଭାଗ ନେଇଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଥିଲା ଓ ଏହା ସଠିକ ନିଷ୍ପତ୍ତି ମଧ୍ୟ ଥିଲା। ୧୯୬୬ ରେ କଟକଣା ଲଗାଯିବା ପାଇଁ ଜାରି କରାଯାଇଥିଲା ଔପଚାରିକ ନିର୍ଦେଶ।୪ ଜୁନ୍ ୨୦୨୪ ପରେ ପ୍ରଧାନମନ୍ତ୍ରୀ ଓ ଆରଏସଏସ ମଧ୍ୟରେ ଥିବା ସମ୍ପର୍କ ତିକ୍ତ ହୋଇଛି। ୯ ଜୁଲାଇ ୨୦୨୪ ରେ ୫୮ ବର୍ଷର କଟକଣା ହଟାଇ ଦିଆଯାଇଛି, ଯାହାକି ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ଲାଗୁ ରହିଥିଲା।