ବିଜେଡ଼ିର ଟେନସନ ବଢ଼ାଉଛି ଗୋପାଳପୁର

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ସରଗରମ ଥିବା ବେଳେ ଶାସକ ବିଜେଡ଼ିକୁ ଘାରିଛି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀ ଚିନ୍ତା । ଏହି ନିର୍ବାଚନମଣ୍ଡଳୀର ଫଳାଫଳ ଉପରେ ସମଗ୍ର ଗଞ୍ଜାମ ରାଜନୀତିର ନଜର ରହିଛି । ଗଞ୍ଜାମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା । ଏଠାରେ ବିଜେଡ଼ି ପୂର୍ବରୁ ଭଲ ପ୍ରଦର୍ଶନ କରିଆସୁଛି । ମାତ୍ର ଏହି ବ୍ଲକରେ ଚଳିତ ପଞ୍ଚାୟତ ନିର୍ବାଚନ ବିଧାୟକଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ହେଉଛି । ଗୋପାଳପୁର ବିଧାୟକ ଡ଼ ପ୍ରଦୀପକୁମାର ପାଣିଗ୍ରାହୀ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ ଯିବା ପରେ ଦଳରୁ ବିଦା ହେବା ସହ ଆଇନ ଅଦାଲତ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ସେ ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ମଣ୍ଡଳୀବାସୀଙ୍କ ଠାରୁ ଦୂରେଇ ରହିଛନ୍ତି। ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଏ​‌ବେ କିଏ ଭରସା ହେବ ବୋଲି ଆଲୋଚନା ହେଉଛି । ଏଠାରେ କିଛି କର୍ମୀ ବାହାରକୁ କିଛି ନଦର୍ଶାଉଥିଲେ ମଧ୍ୟ ସେମାନେ ଭିତରେ ଆଜି ମଧ୍ୟ ଡ଼ ପାଣିଗ୍ରାହୀଙ୍କୁ ନିଜ ନେତା ଭାବେ ଗ୍ରହଣ କରୁଛନ୍ତି । ତେଣୁ ତାଙ୍କୁ ମନାଇବାକୁ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼ ଗୋପବନ୍ଧୁ ଦାସଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ସେ ବିଜେଡ଼ି ସଙ୍ଗଠନ କୁ ଗୋପାଳପୁରରେ ସଜାଡ଼ିବାରେ ସେତେ ମାତ୍ରାରେ ସଫଳ ହୋଇପାରିନାହାନ୍ତି । ତେଣୁ ବିଜେଡ଼ି ଦଳର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଡ଼ ଗୋପବନ୍ଧୁଙ୍କୁ ସାହାଯ୍ୟ କରିବା ଦାୟିତ୍ୱ ପ୍ରଦାନ କରାଯାଇଛି । ତଥାପି ବିଜେଡ଼ିକୁ ଆଶାନୁରୂପ ସଫଳତା ମିଳିବା ନେଇ ସନ୍ଦେହ ଲାଗିରହିଛି । ଅପରପକ୍ଷରେ ଗୋପାଳପୁର ବିଜେଡ଼ି କର୍ମୀ ତୃତୀୟ ମହଲ ଉପରେ ଏହି ନିର୍ବାଚନୀ ଦାୟିତ୍ୱ ପ୍ରଦାନ କରାଯାଉ ବୋଲି ଚର୍ଚ୍ଚା କରୁଛନ୍ତି ।

ସୂଚନା ଅନୁଯାୟୀ, ରଙ୍ଗେଇଲୁଣ୍ଡା ବ୍ଲକର ୩୨ ଟି ପଞ୍ଚାୟତ ଓ କୁକୁଡାଖଣ୍ଡି ବ୍ଲକର ୫ ଟି ପଞ୍ଚାୟତକୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ। ୨୦୧୯ ସାଧାରଣ ନିର୍ବାଚନ ସହ ଏଠାରୁ ୩ ଥର ଲଗାତର ବିଧାୟକ ନିର୍ବାଚିତ ହୋଇଥିଲେ ଡ଼. ପାଣିଗ୍ରାହୀ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଖୁବ କମ ଭୋଟ ବ୍ୟବଧାନରେ ସେ ବିଜୟୀ ହେବା ପରଠାରୁ ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ସେ ଅନୁଭବ କରିଥିଲେ । ଏକଦା ଜିଲା ବିଜେଡିର ସବୁକିଛି କୁହାଯାଉଥିବା ପ୍ରଦୀପଙ୍କୁ ଗୋପାଳପୁର କିମ୍ବା ଜିଲାରେ ଅନୁଷ୍ଠିତ ହେଉଥିବା ବିଜେଡିର ବିଭିନ୍ନ ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିଲା। ଏହା ପରେ ପରେ ଟାଟା କମ୍ପାନୀରେ ଜାଲ ନିଯୁକ୍ତି ମାମଲାରେ ତାଙ୍କର ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ପରେ ଦଳ ପକ୍ଷରୁ ଜନବିରୋଧୀ କାର୍ଯ୍ୟକଳାପର ଦୋଷାରୋପ କରାଯାଇ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରେ ପରେ ଠକେଇ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ନିର୍ବାଚନ ପରଠାରୁ କାଁ ଭାଁ ନିର୍ବାଚନମଣ୍ଡଳୀ ଗସ୍ତ କରୁଥିବା ବିଧାୟକ ପାଣିଗ୍ରାହୀ ଗିରଫ ହେବା ପରଠାରୁ ଆଉ ନିର୍ବାଚନମଣ୍ଡଳୀ ଗସ୍ତ କରି ନାହାଁନ୍ତି।

ଏହି ଘଟଣା ପରେ ପରେ ଗୋପାଳପୁର ନିର୍ବାଚନମଣ୍ଡଳୀର ଦାୟିତ୍ବ ନିଜେ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହ ନିଜର ଓଏସଡି ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼ ଗୋପବନ୍ଧୁ ଦାସଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀର ଦାୟିତ୍ବ ପ୍ରଦାନ କରିଥିଲେ। ଇତିମଧ୍ୟରେ .ଡ଼ ଗୋପବନ୍ଧୁ ଦାସ ଘନଘନ ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଏକତା ସୂ୍ତ୍ରରେ ବାନ୍ଧି ରଖି ପଞ୍ଚାୟତ ନିର୍ବାଚନର ଗୋଟି ଚାଳନା କରିଥିଲେ। ଡ. ଦାସ ଏଠାକାର ସବୁ ରାଜନୈତିକ ଦଳ ଗତିବିଧି ଉପରେ ନଜର ରଖିବା ସହ ବିଜେଡି କର୍ମୀ, ନେତା ତଥା ନିର୍ବାଚିତ ଲୋକପ୍ରତିନିଧିଙ୍କ ସହ ଘନଘନ ବୈଠକ ଓ ମନ୍ତ୍ରଣା କରି ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ଦଳ ପକ୍ଷରୁ ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ମନ ବଳାଇ ଲବି କରିଥିଲେ। ଏହି ନିର୍ବାଚନମଣ୍ଡଳୀ ଅଧିନରେ ରହିଥିବା ୩ ଜିଲା ପରିଷଦ ଆସନ ନିମନ୍ତେ ଅନେକ ଆଶାୟୀଙ୍କ ମଧ୍ୟରୁ ତିନିଜଣଙ୍କୁ ଦଳୀୟ ଟିକଟ ଦିଆଯାଇଛି। ଏହା ପରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ସୂଚନା ପାଇ ସଙ୍ଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଡ଼. ଗୋପବନ୍ଧୁ ଦାସ ସେମାନଙ୍କୁ ମନାଇବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ସେମାନେ କେତେ ମାତ୍ରାରେ ସଫଳ ହୋଇଛନ୍ତି ତାହାକୁ ନେଇ ସେମାନେ ମଧ୍ୟ ଦ୍ୱନ୍ଦରେ । ଦଳୀୟ ଟିକଟରୁ ବାଦ୍ ପଡିଥିବା ଆଶାୟୀମାନେ ସନ୍ତୁଷ୍ଟ କି ଅସନ୍ତୁଷ୍ଟ ତାହା ସମୟ କହିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ତୃତୀୟ ମହଲାର ହସ୍ତକ୍ଷେପ ପରେ ଏହାର ସମାଧାନ ହେବା ନେଇ ଗୋପାଳପୁର ବିଜେଡ଼ି ଆଶା ବାନ୍ଧି ବସିଛି ।

Leave a comment