ମମିତାଙ୍କୁ ହତ୍ୟା ନେଇ ସତ ମାନିଲା ଗୋବିନ୍ଦ ସାହୁ: ହତ୍ୟା ପରେ ଷ୍ଟାଡିୟମ୍ରେ ପୋତି ଦେଇଥିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜେରା ବେଳେ ସତ ମାନିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି । ହତ୍ୟାକରି ଗାତରେ ଶବକୁ ପୋଡ଼ା ଯିବାପରେ ପୋତି ଦେଇଥିଲା । ଏନେଇ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି ଗୋବିନ୍ଦ । ଘଟଣା ଦିନ ଗୋବିନ୍ଦ ସହ ୩ରୁ ୫ଜଣ ବ୍ୟକ୍ତି ଥିଲେ । ଗୋବିନ୍ଦ ସହ ଅଟକ ୩ ଜଣଙ୍କୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ୱୀକାର କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗତକାଲି ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା । ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ବଲାଙ୍ଗୀର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗୀର ମେଡିକାଲରେ ଗୋବିନ୍ଦଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ । ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଥିଲା ।