ପୋଷ୍ଟମୋର୍ଟମରେ ହାଇଦର ଦେହରୁ ବାହାରିଲା ୪ ଗୁଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କାଲି ହୋଇଥିଲା ଏନକାଉଣ୍ଟର । ଆଜି ହେଲା ପୋଷ୍ଟ ମୋର୍ଟମ । କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି । ଏବଂ ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ଶବବ୍ୟବଛେଦ ଗୃହରେ ଗତକାଲି ଠାରୁ ହାଇଦରର ମୃତ ଶରୀର ରଖାଯାଇଥିବାବେଳେ ଆଜି ତାହାର ବ୍ୟବଛେଦ କରାଯାଇଥିଲା ।
ପୋଷ୍ଟମର୍ଟମ ପରେ ଡାକ୍ତର ସୁଶାନ୍ତ ନାୟକ ରଖିଛନ୍ତି ପ୍ରତିକ୍ରିୟା । ହାଇଦର ଦେହରୁ ମୋଟ ୪ଟି ଗୁଳି ବାହାରିତିଲାବେଳେ, ସେଥିମଧ୍ୟରୁ ୩ଟି ଗୁଳି ନୂଆ, ଗୋଟିଏ ପୁରୁଣା ବୋଲି ଜଣାପଡ଼ିଛି । ଜଙ୍ଘରୁ ୨ଟି ଗୁଳି ବାହାରିଥିଲା ବେଳେ, ଗୋଟିଏ ନୂଆ, ଅନ୍ୟଟି ପୁରୁଣା ବୋଲି ସୂଚନା ଦେଇଛନ୍ତି ଡାକ୍ତର । ଛାତିରୁ ଗୋଟିଏ ଓ ପେଟରୁ ଗୋଟିଏ ଗୁଳି ମଧ୍ୟ ବାହାରିଥିବା କହିଛନ୍ତି ଡାକ୍ତର ସୁଶାନ୍ତ ନାୟକ ।
ବ୍ୟବଛେଦ ପୂର୍ବରୁ ପ୍ରଥମେ ହାଇଦରର ପରିବାର ଲୋକଙ୍କୁ ଦେଖାଯାଇଥିଲା । ପରିବାର ଲୋକ ଦେଖିବା ପରେ ହାଇଦରକୁ ପୋଷ୍ଟମର୍ଟମ କରାଯାଇଥିବା ଜଣାପଡ଼ିଛି ।ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ୬ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରୁଛନ୍ତି । ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯାଉଛି ।
ହାଇଦର ପକେଟରୁ ଏକ ଲାଲ୍ ଡାଏରୀ ଜବତ ହୋଇଛି । ଯେଉଁଥିରେ ଅନେକ ଲୋକଙ୍କ କଣ୍ଟାକ୍ଟ ନମ୍ବର ଥିବା ପୋଲିସ ସୂଚନା ଦେଇଛି । ସେପଟେ ସିଲ୍ ହୋଇଛି ସିମୁଳିଆର ଏନକାଉଣ୍ଟର ସ୍ପଟ୍ । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ ହୋଇଥିଲା । ବାଲେଶ୍ୱର sdpo ଶ୍ରୀହର୍ସ ମିଶ୍ର, ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ଖୋଜିବା ପରେ ୨ଟି ଖୋକା ଜବତ ହୋଇଛି ।