ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଗଣେଶ୍ୱର ବେହେରା

ଶେଷରେ ବିଜୁ ଜନତା ଦଳରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଗଣେଶ୍ୱର ବେହେରା । ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି କଂଗ୍ରେସର ଏହି ପୂର୍ବତନ ପୁରୁଖା ନେତା । ନିଜ ଅନେକ ସମର୍ଥକଙ୍କ ସହ ବିଜେଡିରେ ହୋଇଛନ୍ତି ସାମିଲ । ଏହି ମିଶ୍ରଣ ପର୍ବରେ ବିଜେଡିର ପ୍ରତାପ ଜେନା, ସସ୍ମିତ ପାତ୍ର, ଶଶିଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ ଯେ, କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ଗଣେଶ୍ୱର ବେହେରା । ଦକ୍ଷ ନେତା ସାଙ୍ଗକୁ ଦୃଢ ସଂଗଠକ ଭାବେ କାର୍ଯ୍ୟ କରିଥାନ୍ତି ଗଣେଶ୍ୱର ବେହେରା । ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ । ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ସିପ୍ରା ମଲ୍ଲିକଙ୍କୁ ପରାସ୍ତ କରିଥିଲେ ଗଣେଶ୍ୱର । ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର ବେହେରା । ରାଜ୍ୟ କଂଗ୍ରେସର ବହୁ ପଦ ପଦବୀରେ ରହିଥିଲେ ଗଣେଶ୍ୱର । ଦଳକୁ କିପରି ସୁଦୃଢ କରାଯିବ । ସେନେଇ କାମ ମଧ୍ୟ କରିଥାନ୍ତି । ହେଲେ ଏବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ।