ଭକ୍ତ ଓ ସେବକଙ୍କ ସ୍ୱାସ୍ଥ୍ୟ ନେଇ ତତ୍ପର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭକ୍ତ ଓ ସେବକଙ୍କ ସ୍ୱାସ୍ଥ୍ୟ ନେଇ ତତ୍ପର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର । ଆସନ୍ତା ୧୪ ଏପ୍ରିଲ ମହାବିଷୁବ ସଂକ୍ରାନ୍ତିରେ ଶ୍ରୀମନ୍ଦିର ନିକଟରେ ଏକ ପ୍ରାଥମିକ ସହାୟତା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଏହି ପ୍ରାଥମିକ ସହାୟତା କେନ୍ଦ୍ର ପର୍ଯ୍ୟଟକ,ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବ । ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏଠାରେ ବ୍ୟବସ୍ଥା ମଧ୍ୟ କରାଯିବ।
ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ଏହି କେନ୍ଦ୍ର ପରିଚାଳିତ ହେବ ଏବଂ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ସହାୟତାରେ ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ । ପ୍ରାଥମିକ ସହାୟତା କେନ୍ଦ୍ରର ସୁଗମ କାର୍ଯ୍ୟ ପାଇଁ ପ୍ରତ୍ୟେକ ନୋଡଲ୍ ଅଧିକାରୀଙ୍କୁ ସିଡିଏମଓ ଏବଂ ମନ୍ଦିର କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତ କରାଯିବ । ଏହି ପ୍ରାଥମିକ ସହାୟତା କେନ୍ଦ୍ରଟି ୧୪ ଏପ୍ରିଲ ମହାବିଷୁବ ସଂକ୍ରାନ୍ତି ଦିନ ଉଦଘାଟିତ ହେବ ।