ଭୋଜିରୁ ନିଆଁ ଲାଗି ଜଳିଗଲା ୧ନମ୍ବର ହାଟ!

0

ଭୁବନେଶ୍ୱର : ଅଗ୍ନିଶମ ବିଭାଗର ପ୍ରାଥମିକ ଅନୁସନ୍ଧାନ ଅନୁସାରେ, ଭୋଜି ଚାଲିଥିବା ବେଳେ କୌଣସି କାରଣରୁ ଏକ ଗ୍ରୋସରି ଦୋକାନରେ ନିଆଁ ଲାଗିଯାଇଥିଲା । ଗ୍ରୋସରି ଦୋକାନରେ ଥିବା ତେଲ ଓ ଘିଅ ଯୋଗୁଁ ନିଆଁ ହୁତୁହୁତୁ ହୋଇ ଜଳିଥିଲା । ପରେ ଆଖପାଖ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା । ତେବେ ସେଠାରେ କେଉଁମାନେ ଭୋଜି କରୁଥିଲେ? ସେମାନେ ନିଆଁ ଲଭାଇବାକୁ ଉଦ୍ୟମ କରିଥିଲେ କି? ଆଖପାଖ ଲୋକଙ୍କୁ ସହାୟତା ଲାଗି ଡାକିଥିଲେ କି? ଯେଉଁମାନେ ନିଆଁ ଲଗାଇଥିବା ଅଭିଯୋଗ କରୁଛନ୍ତି, ଦୋକାନ ଜଳିବା ଆଗରୁ ତାଙ୍କ ଦୋକାନ ଜିନିଷ ବାହାକୁ ଆସିଲା କେମିତି? ଏହାର ତଦନ୍ତ ହେବା ଆବଶ୍ୟକ ।

ହାଟ ନିଆଁ ପଛରେ ‘ଷଡଯନ୍ତ୍ର’!
ରାଜଧାନୀର ସର୍ବପୁରାତନ ହାଟ ଅଗ୍ନିକାଣ୍ଡ କିପରି ଘଟିଥିଲା, ତାହାର ତଦନ୍ତ ଚାଲିଥିବା ବେଳେ ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ କାତୁଅ ଫିଙ୍ଗାଫିଙ୍ଗି ଚାଲିଛି । ହାଟର ଗୋଟିଏ ବିବାଦୀୟ ଗୋଷ୍ଠୀ ବର୍ତ୍ତମାନର ସଭାପତିଙ୍କୁ ପରୋକ୍ଷରେ ଦୋଷୀ ବୋଲି କହୁଥିବା ବେଳେ ସଭାପତିଙ୍କ ସମର୍ଥକମାନେ ଏହାକୁ ଖଣ୍ଡନ କରିଛନ୍ତି । ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଟ ନିଆଁ ଲାଗିବା ପଛରେ ଏକ ସୁଚିନ୍ତିିତ ଷଡଯନ୍ତ୍ର କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ହାଟରେ ସୌଚାଳୟ ନିର୍ମାଣକୁ ନେଇ ସଭାପତି କବିରାଜ ସ୍ୱାଇଁ ଓ ପୂର୍ବତନ ସମ୍ପାଦକ ହୃଷିକେଶ ଓଝାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା । କିଛିଦିନ ତଳେ କବିରାଜ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ଷଢଯନ୍ତ୍ର କରୁଛନ୍ତି । ଏହା ପଛରେ ଉକ୍ତ କୁଚକ୍ରି ଗୋଷ୍ଠିଙ୍କର ଏକାମ୍ର ବାଲିଯାତ୍ରାକୁ ଭଣ୍ଡୁର କରିବା ମୁଖ୍ୟ ଉର୍ଦ୍ଦେଶ୍ୟ ରହିଛି ବୋଲି ସେ କହିଥିଲେ । ତେବେ ଗତକାଲି ବାଲିଯାତ୍ରାକୁ ନେଇ ବାଙ୍କୁଆଳରେ ବୈଠକ ଚାଲିଥିବା ବେଳେ ଏଠାରେ ହାଟରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଠ ଥିବା ବେଳେ ହୃଷିକେଶ ଓଝା ଗଣମାଧ୍ୟମକୁ ବିରୋଧୀ ଗୋଷ୍ଠୀ ନିଆଁ ଲଗାଇଥିବା ଖୋଲିଖୋଲି କହିଥିଲେ ।

ଏହାକୁ ନେଇ ହାଟରେ ଗୋଷ୍ଠୀ ବିବାଦ, ମାରପିଟ୍ ହୋଇଥିବା ବେଳେ ନିଆଁ ଲାଗିବା ସୁଚିନ୍ତିତ ଯୋଜନା ବୋଲି ପ୍ରାଥମିକ ଅନୁସନ୍ଧାନରୁୁ ଜଣାପଡିଛି । ଦୁଇ/ତିନି ତଳେ ଗୋଟିଏ ଗୋଷ୍ଠୀ ଫରେଷ୍ଟ ପାର୍କ ନିକଟରେ ଏକ ଗୁପ୍ତ ବୈଠକ କହିଥିଲେ । ଉକ୍ତ ବୈଠକରେ ହାଟରେ ବିଭ୍ରାଟ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଯାହାକୁ ଗତକାଲି ବାସ୍ତବ ରୂପ ନିଆଯାଇଥିବା କୁହାଯାଇଛି । ପୋଲିସ ଓ ଅଗ୍ନିଶମ ବିଭାଗ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ।

ଏପଟେ ଦୋକାନ ଜଳୁଛି, ସେପଟେ ସାମ୍ବାଦିକ ସମ୍ମିଳନୀ
ହାଟରେ ଦୋକାନଗୁଡିକ ହୁତୁହୁତୁ ହୋଇ ଜଳୁଥିବା ବେଳେ ୧୫ରୁ ଅଧିକ ଦମକଳବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ । ବ୍ୟବସାୟୀ, ଆଖପାଖ ଲୋକେ ମଧ୍ୟ ବାଲଟି ବାଲଟି ପାଣି ଆଣି ଗୁଣ୍ଡୁଚୁ ମୂଷା ଭଳି ସାହାଯ୍ୟ କରୁଥିଲେ । ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ ଗାଁ ବୈଠକ ଛାଡି ହାଟରେ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟର ତଦାରଖ କରୁଥିଲେ । ଏହି ସମୟରେ ହୃଷିକେଶଙ୍କ ଗୋଷ୍ଠୀ ହାଟ ମଝିରେ ଟେବୁଲ-ଚେୟାର ପକାଇ ସାମ୍ବାଦିକ ସମ୍ମିଳନୀ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଏକାମ୍ର ବାଲିଯାତ୍ରା ଭଣ୍ଡୁର ଲାଗି ଯୋଜନା
ଗତବର୍ଷ ଠାରୁ ବାଙ୍କୁଆଳ ନଦୀ ପଠାରେ ଆୟୋଜିତ ହେଉଥିବା ଏକାମ୍ର ବାଲିଯାତ୍ରାର ମୁଖ୍ୟ ଦାୟିତ୍ୱ କବିରାଜ ସ୍ୱାଇଁ ନେଇଛନ୍ତି । ପ୍ରଥମବର୍ଷ ଏହା ବେଶ ସଫଳତା ହାସଲ କରିଥିଲା । ଯାହା ଫଳରେ ବିଭିନ୍ନ କ୍ଷେତ୍ରରୁ କବିରାଜଙ୍କୁ ପ୍ରସଂଶା କରାଯାଇଥିଲା । ଚଳିତଥର ବାଲିଯାତ୍ରାକୁ ଭଣ୍ଡୁର କରିବାକୁ ଏକ ଗୋଷ୍ଠି ଯୋଜନା କରୁଥିବା କିଛିଦିନ ତଳେ କବିରାଜ ଗଣମାଧ୍ୟମକୁ କହିଥିଲେ । ଯାହାର ନମୁନା ଗତକାଲି ଦେଖିବାକୁ ମିଳିଛି । ଗତକାଲି ବାଙ୍କୁଆଳ ଠାରେ ୩୦ଟି ଗାଁକୁ ନେଇ ବାଲିଯାତ୍ରା କମିଟିର ବୈଠକ ବସିଥିଲା । ଏହି ବୈଠକ ଚାଲିଥିବା ବେଳେ ହାଟରେ ହଠାତ ନିଆଁ ଲାଗିଯାଇଥିଲା । ତେବେ ଏହା ପ୍ରାୟୋଜିତ ହେଉ ଅବା ଅକସ୍ମାତ ହେଉ, କବିରାଜଙ୍କ ସନ୍ଦେହକୁ ଅଧିକ ଘନିଭୂତ କରିଛି । ଏକାମ୍ର ବାଲିଯାତ୍ରାକୁ ଭଣ୍ଡୁର କରିବାକୁ କିଏ ଷଡଯନ୍ତ୍ର କରୁଛି, ତାହା ଏବେ ବି ସନ୍ଦେହ ଘେରରେ ରହିଛି ।

ସିସିଟିଭରେ ଲୁଚିଛି ସତ
ନିଆଁ ଲାଗିବା ପରେ ଗତକାଲି ହୃଷିକେଷ ଓଝା କହିଥିଲେ, ବିରୋଧୀ ଗୋଷ୍ଠୀ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ଅଭିଯୋଗକୁ ମଧ୍ୟ ଗ୍ରହଣ କରାଯିବା ଉଚିତ । ତାଙ୍କ ପରିବା ଦୋକାନ ଆଗରେ ସିସିଟିଭି ରହିଛି । ତାହା କାର୍ଯ୍ୟକ୍ଷମ ମଧ୍ୟ ରହିଥିଲା । ଅଗ୍ନିଶମ ବିଭାଗ ଓ ପୋଲିସ ଉକ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ଯଦି କେହି ତାଙ୍କ ଦୋକାନରେ ନିଆଁ ଲଗାଇଥାଏ, ତେବେ ସିସିଟିଭିରେ ତାହା ନିଶ୍ଚିତ କଏଦ ହୋଇଥିବ । ତେଣୁ ସିସିଟିଭି ଯାଞ୍ଚ କରାଗଲେ, ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ବ୍ୟବସାୟୀ ଦାବି କରିଛନ୍ତି ।

Leave a comment