ମୁମ୍ବାଇ ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ, ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ-ମୁମ୍ବାଇର ଏକ ସପିଂ ମଲରେ ଗୁରୁବାର ରାତିରେ ଲାଗିଥିବା ନିଆଁ ଶୁକ୍ରବାର ସକାଳ ସୁଦ୍ଧା ନିୟନ୍ତ୍ରଣକୁ ଆସିପାରିନାହିଁ । ଗୁରୁବାର ରାତିରେ ମାତ୍ର ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି ମହାଲାକୁ ବ୍ୟାପିଯାଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ଗୁରୁବାର ରାତି ସାଢେ ୮ ସମୟରେ ନିଆଁଲାଗିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଏହା ଏକ ଲେବଲ-୧ ସ୍ତରର ନିଆଁ ଥିବାବେଳେ ଶୁକ୍ରବାର ସୁଦ୍ଧା ଏହା ଆହୁରି ଭୀଷଣ ଆକାର ଧାରଣ କରି ଲେବଲ-୫ ସ୍ତରରେ ପହଞ୍ଚିଯାଇଛି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ୨୪ ଜଣ ଫାୟାର ଇଂଜିନିୟର, ୧୬ଟି ଜୁମ୍ବୋ ଟ୍ୟାଙ୍କର ଓ ପ୍ରାୟ ୨୫୦ ଦମକଳ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ନିଆଁ ଲଭାଇବା ବେଳେ ୨ ଜଣ ଦମକଳ କର୍ମଚାରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।

ଅନ୍ୟପକ୍ଷରେ ନିଆଁ ବେଳକୁ ବେଳ ବ୍ୟାପିଚାଲିଥିବାରୁ ସପିଂ ମଲ ପାଖରେ ଥିବା ଅର୍କିଡ୍‌ ଏନକ୍ଲେଭ ନାମକ ଆବାସିକ ଆପାର୍ଟମେଣ୍ଟକୁ ଖାଲି କରାଯାଇଛି । ପୁଲିସ ଦ୍ୱାରା ଏହି ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ୩୫୦୦ ଲୋକଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହି ନିଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Leave a comment