ଜାଣନ୍ତୁ, କାହିଁକି ରାତାରାତି ବଦଳିଗଲା ଶ୍ରୀମନ୍ଦିର ପରିକ୍ରମା ଫଳକ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାତାରାତି କଢ଼ା ହୋଇଗଲା ପୁରୁଣା ଫଳକ । ଲାଗିଲା ନୂଆ ଫଳକ । ଶ୍ରୀମନ୍ଦିର ନିକଟ ନିଷିଦ୍ଧାଞ୍ଚଳ ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମ ଚାଲୁଥିବା ଅଭିଯୋଗର ଅନୁଧ୍ୟାନ ପାଇଁ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନରେ ଆସୁଥିବା ଜଣାଯାଇଛି। ହେଲେ ତା’ ପୂର୍ବରୁ ହଟାଇ ଦିଆଯାଇଛି ପୁରୁଣା ଫଳକ । ପ୍ରଶାସନର ଏପରି ନିଷ୍ପତ୍ତି ଯୋଗୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ସ୍ପଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ରାତାରାତି ପୁରୁଣା ଫଳକୁ ହଟାଇ ଲଗାଗଲା ନୂଆ ଫଳକ । ଫଳକରେ ପୂର୍ବରୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରୋଜେକ୍ଟ ଆଟ୍ ହେରିଟେଜ ସିଟି ପୁରୀ’ ବୋଲି ଲେଖାଥିବା ବେଳେ ରାତାରାତି ଉକ୍ତ ଲେଖାକୁ ଉଡ଼ାଇ ଦେଲେ। ଫିମେଲ ଟଏଲଟ ଲେଖାଥିବା ସ୍ଥାନରେ ଲେଖାଯାଇଛି ମେଲ୍ ଟଏଲେଟ । ସେହିପରି ପଶ୍ଚିମ ଦ୍ୱାରରେ ଥିବା ଇନଫର୍ମେସନ କିଓସ୍କ ହଟାଇ ଦିଆଯାଇଛି । ହଠାତ୍ ଏପରି ପରିବର୍ତ୍ତନକୁ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଲୋକେ।
ସେହିପରି ଆଜି ସକାଳୁ ସକାଳୁ ଲାଗିଥିବା ଆଉ ୨ଟି ଫଳକ ମଧ୍ୟରୁ ଗୋଟିଏ ଫଳକରେ ଏଲିଭେସନ ଡିଜାଇନ ମିନି କ୍ଲୋକ୍ ରୁମ୍ ବୋଲି ଲେଖା ଥିବା ବେଳେ ଆଉ ଏକ ଫଳକରେ ସେଲଟର ପାଭଲିଆନ-୧ ଲେଖାଅଛି। ପୂର୍ବ ଫଳକରେ କେବଳ ସେଲଟର ପାଭଲିଆନ ଲେଖା ଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ୧୦୦ ମିଟର ନିଷିଦ୍ଧାଞ୍ଚଳ ଭିତରେ କୌଣସି ପ୍ରକାର ନିର୍ମାଣକୁ ତୀବ୍ର ବିରୋଧ କରାଯାଉଥିବା ବେଳେ ଏହାକୁ ନେଇ ଲୋକସଭାରେ ମଧ୍ୟ ଝଡ଼ ଉଠି ସାରିଲାଣି। ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଏଏସଆଇ ଅନୁଧ୍ୟାନ କରି ଏହାର ରିପୋର୍ଟ ଦେବେ। ରିପୋର୍ଟ ପାଇବା ପରେ କାମ ନିମନ୍ତେ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ ହାଇକୋର୍ଟ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ଚାଲୁ ରହିଛି କାମ। ଏହାବାଦ ମେଲ ଟଏଲଟ, ଫିମେଲ ଟଏଲେଟ ଓ ସେବାୟତଙ୍କ ଟଏଲେଟର ଡିଜାଇନରେ ପରିବର୍ତ୍ତନ ହୋଇଥିବା ବେଳେ ଡାଇଗ୍ରାମରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ସୂଚନା ମିଳିଛି।

Leave a comment