ମିଥ୍ୟା ବିବାହ ପ୍ରତିଶ୍ରୁତି ପାଇଁ ଉତ୍ତରପ୍ରଦେଶରେ ୫୭% ଦୁଷ୍କର୍ମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨୦୧୯ରେ ଉତ୍ତରପ୍ରଦେଶରେ ସର୍ବାଧିକ ଦୁଷ୍କର୍ମ ମାମଲା ଥିବା ରେକର୍ଡ କରାଯାଇଛି। ତେବେ ରାଜ୍ୟରେ ମିଥ୍ୟା ବିବାହ ପ୍ରତିଶ୍ରୁତି ପାଇଁ ୫୭ ପ୍ରତିଶତ ଦୁଷ୍କର୍ମ ହୋଇଛି ବୋଲି ଏନ୍ସିଆର୍ବି ତଥ୍ୟରୁ ଜଣାପଡ଼ିଛି। ତଥ୍ୟର ପୁନଃ ଆକଳନରୁ ଏହା ଜଣାପଡ଼ିଛି ଯେ, ୩୭ ପ୍ରତିଶତ ମାମଲାରେ ପୀଡ଼ିତା ଅଭିଯୁକ୍ତଙ୍କୁ ଜାଣିଥାନ୍ତି। ଅନ୍ୟପକ୍ଷେ ୬ ପ୍ରତିଶତ ଅପରାଧରେ ଅଭିଯୁକ୍ତ ଅଜଣା ଥାଆନ୍ତି। ଉତ୍ତରପ୍ରଦେଶ ଏଡିଜି ପୁଲିସ ଆଶୁତୋଶ ପାଣ୍ଡେ କହିଛନ୍ତି, ଯଦି କିଛି ଅପରାଧ ଘଟୁଛି ତେବେ ମହିଳାମାନେ ନିରବ ରହିବା ଅନୁଚିତ୍। ସେମାନେ ଆଗକୁ ବାହାରି ସେମାନଙ୍କ ବିରୋଧରେ ଘଟୁଥିବା ଅପରାଧ ପାଇଁ ମାମଲା ରୁଜୁ କରିବା ଉଚିତ୍। ଏହାଦ୍ବାରା ଅଧିକ ମାମଲା ସାମ୍ନାକୁ ଆସିବ ଏବଂ ଅଧିକ ଅପରାଧୀ ମଧ୍ୟ ଦୋଷୀସାବ୍ୟସ୍ତ ହୋଇପାରିବେ।
ପାଣ୍ଡେ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ପାଇଁ ସର୍ବାଧିକ ଲୋକ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ପାଇଁ ସର୍ବାଧିକ ୫୫ ପ୍ରତିଶତ ଫଏସଲା ତଥା ସଜା ହାର ରହିଛି। । ଉତ୍ତରପ୍ରଦେଶ ପରେ ଉତ୍ତରାଖଣ୍ଡରେ ୫୦ ପ୍ରତିଶତ ଏବଂ ରାଜସ୍ତାନରେ ୪୫.୫ ପ୍ରତିଶତ ମାମଲା ଫଏସଲା ହୋଇଛି ଏବଂ ଦୋଷୀ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ୧୧ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି।