ପୁଲୱାମାରେ ଏନ୍କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ, ୪ ଯବାନ ସହିଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲୱାମାରେ ଗତ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହେବାପରେ ରବିବାର ରାତିରେ ଏକ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ସହ ୪ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଘଟଣାରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ଏହି ଏନ୍କାଉଣ୍ଟରରେ ମେଜର ଡି.ଏସ୍ ଡାଣ୍ଡିଆଲ୍, ହେଡ୍ କନଷ୍ଟେବଲ ସେବା ରାମ୍, ଅଜୟ କୁମାର ଓ ହରି ସଂ ସହିଦ ହୋଇଛନ୍ତି । ଏହି ଘଟଣା ପରେ ସମଗ୍ର ଭାରତରେ ପୁଣି ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାପରେ ସେନା ପ୍ରତିଶୋଧ ନେବକୁ ଯାଇ ଆତଙ୍କବାଦୀ ଲୁଚି ଥିବା ଘରକୁ ଉଡାଇ ଦେଇଛି । ଫଳରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା ପକ୍ଷରୁ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ପୁଲୱାମାଠାରୁ ପ୍ରାୟ ତିନି କିଲୋମିଟର ଦୂର ପିଙ୍ଗଲନ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଗତକାଲି ବିଳମ୍ବିତ ରାତିରେ ସେନା, ସ୍ଥାନୀୟ ପୁଲିସ୍ ଓ ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ଅପରେସନ୍ ବେଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ସୂଚନାକ୍ରମେ, ଗତ ୧୪ ତାରିଖରେ ଜମ୍ମୁ-ଶ୍ରୀନଗର ରାଜପଥରେ ଆତ୍ମଘାତୀ ଆତଙ୍କବାଦୀ ହମଲା ହୋଇଥିଲା । ଏଥିରେ ୪୦ରୁ ଉର୍ଦ୍ଧ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ନିଜକୁ ଦାୟୀ କରିଛି । ଅପରପକ୍ଷରେ ଏ ଘଟଣା ପରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ପ୍ରତି ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।