ରାଜଧାନୀରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପାହାନ୍ତାରେ ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳରେ ପୋଲିସ ଗୁଳିରେ ସୁଶାନ୍ତ ମାଝି ଆହତ ହୋଇଛି । ସୁଶାନ୍ତ ନୟାଗଡ଼ ଅଞ୍ଚଳର ଏକ ଦୁର୍ଦ୍ଦାନ୍ତ ଅପରାଧୀ । ଡକାୟତି ଉଦ୍ଦେଶ୍ୟରେ ଭୁବନେଶ୍ୱର କଳିଙ୍ଗନଗର ସ୍ଥିତ କେ ସେଭେନ ଅଞ୍ଚଳରେ ସୁଶାନ୍ତ ବୁଲିଥିବା ବେଳେ ଏନ୍‌କାଉଣ୍ଟରର ଶିକାର ହୋଇଥିଲା । ସୁଶାନ୍ତର ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜିଥିଲା । ସୁଶାନ୍ତଠାରୁ ପୋଲିସ ଏକ ପିସ୍ତଲ ସହ ୫ଟି ଗୁଳି ଜବତ କରିଛି ।

ସୂଚନା ଅନୁଯାୟୀ, ନୟାଗଡ଼ ହାଟବସ୍ତା ଅଞ୍ଚଳର ସୁଶାନ୍ତ ଡକାୟତି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଆସିଥିବା ଖବର ପାଇ କମିଶନରେଟ ପୋଲିସର ସ୍ପେସିଆଲ ସ୍କ୍ୱାର୍ଡ ତାଉପରେ କଡା ନଜର ରଖିଥିଲା । ସୁଶାନ୍ତ କଳିଙ୍ଗନଗର ସ୍ଥିତ କେ ସେଭେନ ଅଞ୍ଚଳରେ ବୁଲୁଥିବା ବେଳେ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ସୁଶାନ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହା ପ୍ରତିବଦଳରେ ପୋଲିସ ସୁଶାନ୍ତ ଉପରକୁ ଗୁଳି ଚଳାଇଥିଲା । ପୋଲିସ ଗୁଳିରେ ସୁଶାନ୍ତ ଆହତ ହୋଇଥିଲା । ତାକୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ପରେ ତାକୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୁଶାନ୍ତ ନାଁରେ ଏକାଧିକ ମାମଲା ରହିଛି । ସେ ଡକାୟତି, ହତ୍ୟା ଓ ଲୂଟ ପରି ଅନେକ ମାମଲାରେ ସମ୍ପୃକ୍ତ ରହିଛି । ଏପରିକି ଟାଙ୍ଗୀରୁ ୬୦ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ମଧ୍ୟ ତାର ସମ୍ପୃକ୍ତି ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Leave a comment