ଶିଶୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡ ୨୦।୦୬: ବାଣିଗୋଛା ଥାନା ଧୁନ୍ଦୁଗାଡିଆ ଶିଶୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସାଗର ଦଳେଇକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କଲା ନୟାଗଡ ପୋଲିସ। ସିନ୍ ରିକ୍ରିଏସନ ସମୟରେ ଅଧିକ କିଛି ସୁରାକ ପାଇଛି ପୋଲିସ । ଅଭିଯୁକ୍ତକୁ ଗିରଫ ପରେ ଗତ ୧୮ତାରିଖରେ ତିନିଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।
ଗତ ୧୨ତାରିଖ ଦିନ ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ୫ବର୍ଷର ନାବାଳିକା ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରି ବିଫଳ ହେବା ପରେ ୧୩ତାରିଖରେ ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଡଗ୍ ସ୍କ୍ୱାର୍ଡ ଟିମ୍ ଗାଁକୁ ଯାଇଥିଲେ ମଧ୍ୟ କିଛି ସୂରାଗ୍ ମିଳିନଥିଲା । ନିଜେ ଏସ୍ ପି ସିଦ୍ଧାର୍ଥ କଟାରିଆ ଗାଁକୁ ଯାଇ ତଦନ୍ତ କରିଥିଲେ । ୧୬ତାରିଖରେ ଗାଁ ନିକଟରେ ଥିବା ଜଙ୍ଗଲ ଭିତର ନାଳରୁ ନାବାଳିକାର ମୃତଦେହ ମିଳିଥିଲା । ଶିଶୁର ଦେହରୁ ମୁଣ୍ଡ ସମ୍ପୂର୍ଣ୍ଣ ଅଲଗା ହୋଇଥିଲା ।
ଏହି ଘଟଣାରେ ପୋଲିସ ସେହି ଗାଁର ସାଗର ଦଳେଇକୁ ଗିରଫ କରିଥିଲା । ସାଗର ଏବଂ ଶିଶୁର ବାପାଙ୍କ ମଧ୍ୟରେ ପୂର୍ବରୁ କିଛିଟା ବିବାଦ ରହିଥିଲା । ଗାଁର ଛୋଟ ଛୋଟ ପିଲାମାନେ ବିଭିନ୍ନ ସମୟରେ ମୋବାଇଲ ଦେଖିବା ପାଇଁ ସାଗର ପାଖକୁ ଯାଉଥିଲେ । ଏହାର ସୁଯୋଗ ନେଇ ସେହିଦିନ ସାଗର ନାବାଳିକାକୁ ଦୁଷ୍କର୍ମ କରିଥିଲା । ଶିଶୁଟି ଅଚେତ ହୋଇଯିବାରୁ ଭୟରେ ତାର ବେକକୁ ଏକ ରଶି ସାହାଯ୍ୟରେ ଚିପି ହତ୍ୟା କରିଥିଲା ସାଗର । ପରେ ମୃତଦେହକୁ ନାଳରେ ଫିଙ୍ଗି ଦେଇଥିଲା ।
ସବୁ ଘଟଣାକୁ ନିଜେ ଅଭିଯୁକ୍ତ ସ୍ବୀକାର କରିଥିବା ଏସ ପି ଗଣମାଧ୍ୟମକୁ କହିଥିଲେ । ଗତ ୧୭ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ପୋଲିସ । ଅଧିକ ପଚରାଉଚରା ପାଈଁ ୧୮ତାରିଖରେ ପୋକ୍ସୋ କୋର୍ଟରୁ ଅଭିଯୁକ୍ତକୁ ତିନିଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ। ତେବେ ଆଜି ଅଧିକ କଣ ସୁରାକ୍ ମିଳିଛି ସେ ସମ୍ପର୍କରେ ପୋଲିସ ମୁହଁ ଖୋଲିନଥିଲେ ମଧ୍ୟ ଶିଶୁ ପିନ୍ଧିଥିବା ପ୍ୟାଣ୍ଟକୁ ଅଭିଯୁକ୍ତ ବାହାର କରିଥିବା ଜଣାପଡିଛି । ଆଜି ସାଗରର ରିମାଣ୍ଡ ଶେଷ ହେଉଛି । ସେପଟେ ପୁଅ ଦୋଷ କରିଛି ତାକୁ ଦଣ୍ଡ ମିଳୁ ବୋଲି ଅଭିଯୁକ୍ତର ମା କହିଛନ୍ତି ।