ରେକର୍ଡସ୍ତରରେ ପହଞ୍ଚିଲା ଡ୍ରାଗନ ସହ କାରବାର, ଛୁଇଁଲା ୧୦୦ ଅରବ ଡଲାର
କେନ୍ଦ୍ରର ମୋଦୀ ସରକାରଙ୍କ ଖାଇବା ଦାନ୍ତ ଗୋଟିଏ ଏବଂ ଦେଖାଇବା ଦାନ୍ତ ଆଉ ଗୋଟିଏ। କାରଣ ଗୋଟିଏ ପଟେ ଚୀନ ସହ ଆମର ତିକ୍ତତା କମିବାର ନାଁ ନେଉନଥିବା ବେଳେ ଅନ୍ୟପଟେ ଏହି ଚୀନ ସହ ଭାରତର ବାଣିଜ୍ୟ କାରବାର ବଢିବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ବ୍ୟବସାୟ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତ ଓ ଚୀନ ଚଳିତ ବର୍ଷ ଏକ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ କାରବାର ୧୦୦ ଅରବ ଡଲାରର ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନ କରିଛି। କିନ୍ତୁ ଦୁଇ ଦେଶର ସରକାର ଏହି ବିଷୟରେ କୌଣସି ଖାସ୍ ରୁଚି ଦେଇ ନାହାନ୍ତି। ବେଜିଂ ଦ୍ଵାରା ରାଜିନାମା ଉଲ୍ଲଂଘନ କାରଣରୁ ପୂର୍ବ ଲଦାଖରେ ସୈନ୍ୟ ଗତିରୋଧ ଏସିଆର ଦୁଇ ବଡ ଦେଶ ମଧ୍ୟରେ ସଂପର୍କ ଖରାପ ସମୟ ଦେଇ ଗତି କରୁଛି।
ଭାରତ ଏବଂ ଚୀନ ମଧ୍ୟରେ ଦ୍ଵିପାକ୍ଷିକ ବ୍ୟବସାୟ ୨୦୦୧ରେ ୧.୮୩ ଅରବ ଡଲାର ହୋଇଥିଲା। ତେବେ ଚଳିତ ବର୍ଷର ୧୧ ମାସରେ ଏହା ୧୦୦ ଅରବ ଡଲାର ଅତିକ୍ରମ କରିଛି। ଯାହା କାରବାର ଦୃଷ୍ଟିରୁ ଏକ ମାଇଲଖୁଣ୍ଟ। ଦୁଇ ଦେଶର ସମ୍ବନ୍ଧରେ ସୁଧାର ପାଇଁ ବାଣିଜ୍ୟକୁ ଏକ ପ୍ରମୁଖ ମାଧ୍ୟମ କରିବାକୁ ଉଦ୍ୟମ ହୋଇଛି ମାତ୍ର ସୀମା ବିବାଦ ଏବଂ ରଣନୈତିକ ପ୍ରତିଦ୍ଵନ୍ଦ୍ଵିତା କାରଣରୁ ଦୁଇ ଦେଶର ସଂପର୍କରେ ସୁଧାର ଆସିବାର ନାଁ ନେଉନାହିଁ। ଚୀନର ସୀମା ଶୁଳ୍କ(ଜିଏସି) ପ୍ରଶାସନର ଗତ ମାସର ତଥ୍ୟ ଅନୁସାରେ, ଭାରତ-ଚୀନ ଦ୍ଵିପାକ୍ଷିକ କାରବାର ୨୦୨୧ ଜାନୁଆରୀରୁ ନଭେମ୍ବର ପର୍ଯ୍ୟନ୍ତ ୪୬.୬ ପ୍ରତିଶତ ବଢି ୧୧୪.୨୬୩ ଅରବ ଡଲାରରେ ପହଞ୍ଚିଛି।
ଚୀନ ସହ ବଢୁଛି ବାଣିଜ୍ୟ ଘାଟା
ଚୀନଠୁ ଭାରତ ମାତ୍ରାଧିକ ଆମଦାନୀ କରି ଚାଲିଛି। ଫଳସ୍ଵରୂପ ଚୀନ ସହ ଭାରତର ବାର୍ଷିକ କାରବାର ଘାଟା ୩୮.୩୫ ପ୍ରତିଶତ ବୃଦ୍ଧି ଘଟି ୨୬.୩୫୮ ଅରବ ଡଲାରରେ ପହଞ୍ଚିଛି। ଚୀନଠୁ ଭାରତର ଆମଦାନୀ ୪୯.୦୦ ପ୍ରତିଶତ ବୃଦ୍ଧି ଘଟି ୮୭.୯୦୫ ଅରବ ଡଲାରରେ ପହଞ୍ଚିଛି। ଭାରତ ଯେଉଁଭଳି ଚୀନଠୁ ଆମଦାନୀ କରୁଛି, ତାର ଅଧା ମଧ୍ୟ ରପ୍ତାନୀ କରି ପାରୁନାହିଁ। ଏହି କାରଣରୁ ଦୁଇ ଦେଶ ମଧ୍ୟରେ କାରବାର ଘାଟା ବଢିବାରୋ ଲଗିଛି।