ଡକ୍ଟର କ୍ୟୁରେସି ନବୀନଙ୍କୁ ପ୍ରଶଂସା କରିବା ସହ ଆଇଏଏସ ଙ୍କ ନିଲମ୍ବନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଲେ ନାପସନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ନିର୍ବାଚନ କମିସନ ଡକ୍ଟର ଏସ.ୱାଇ କ୍ୟୁରେସି ହେଲିକପ୍ଟର ଯାଞ୍ଚକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କୁ ନେଇ ଜଣେ କର୍ତ୍ତବ୍ୟନିଷ୍ଟ ଅଧିକାରୀଙ୍କ ନିଲମ୍ବନକୁ ନାପସନ୍ଦ କରିଛନ୍ତି । ଡକ୍ଟର କ୍ୟୁରେସି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରକୃତ ରାଜନେତା କହିବା ସହ ତାଙ୍କ ଠାରୁ ଅନେଜ କିଛି ଶିଖିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ତିନିଦିନ ତଳେ ମୁଖ୍ୟମନ୍ତ୍ରୀ ରାଉରକେଲା ହେଲିପ୍ୟାଡରେ ଓଲ୍ହାଇବା ସମୟରେ ଫ୍ଲାଇଂ ସ୍କ୍ୱାର୍ଡ଼ ଅତର୍କିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଞ୍ଚ କରିଥିଲେ । ମୁଖ୍ୟମନ୍ତ୍ରୀ ଫ୍ଲାଇଂ ସ୍କ୍ୱାର୍ଡ଼କୁ ସମ୍ପୂର୍ଣ୍ଣ ରୂପେ ସହାୟତା କରିଥିଲେ । ସେ ଯାଞ୍ଚ ଶେଷ ହେବାଯାଏ ଗୋଟିଏ ସ୍ଥାନରେ ଶାନ୍ତ ଭାବରେ ବସି ରହିଥିଲେ । ସେ ଏପରି କରି ପ୍ରମାଣିତ କରିଥିଲେ କି ନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ସମସ୍ତ ନେତା ଏହା ଶିଖିବା ଦରକାର ଯେ ଆଇନ ଆଗରେ ସମସ୍ତେ ସମାନ ବୋଲି ଡକ୍ଟର କ୍ୟୁରେସି କହିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ର ଠିକ ଦିନେ ପୂର୍ବରୁ ସମ୍ବଲପୁର ଗ୍ରସ୍ତରେ ଥିବା ପ୍ରଧାନମନ୍ତ୍ରୀ ଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା ସେତେବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫ୍ଲାଇଂ ସ୍କ୍ୱାର୍ଡ଼ଙ୍କ ସହ ଝଗଡା କରୁଥିବା ଭିଡ଼ିଓ ଭାଇରଲ ହୋଇଥିଲା ଓ ପରେ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ଙ୍କୁ ନିଲମ୍ବିତ କରାଯାଇଥିଲା । ଯାହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଡକ୍ଟର କ୍ୟୁରେସି ।

ଡକ୍ଟର କ୍ୟୁରେସି ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ନିର୍ବାଚନ କମିସନ ବାରମ୍ବାର ଏହାକୁ ଅଣଦେଖା କରୁଛନ୍ତି । କିନ୍ତୁ ଯଦି ପ୍ରଧାନମନ୍ତ୍ରୀ ଏହି ହେଲିକପ୍ଟର ଯାଞ୍ଚ ରେ ସହଯୋଗ କରିଥାନ୍ତେ ତେବେ ସାଧାରଣ ଜନତା ଆଗରେ ନିଜର ଏକ ଭଲ ଛବି ତିଆରି କରିପାରିଥାନ୍ତେ ।

Leave a comment