ନର୍ସ ନିହାରିକାଙ୍କ ବାପା ଓ ମା ଙ୍କ ରକ୍ତ ନମୂନା ସଂଗ୍ରହ, ହେବ ଡିଏନଏ ଟେଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନର୍ସ ନିହାରିକାଙ୍କ ବାପା ଓ ମା ଙ୍କର ଆଜି ରକ୍ତ ନମୂନା ସଂଗ୍ରହ କରାଯାଇଛି । ସେମାନଙ୍କ ଡିଏନଏ ଟେଷ୍ଟ ପରେ ତାହା ମିଳିଥିବା ମୃତ ଦେହର ଡିଏନଏ ସହ ମେଳ ଖାଉଛି ନା ନାହିଁ ଚେକ କରାଯିବ । ସେହିପରି ପୋଲିସ ନିହାରିକାଙ୍କ ପ୍ରେମିକ ରାଜକୁ ମଧ୍ୟ ପଚରାଉଚରା ଜାରି ରଖିଛି ।

ସୂଚନା ଅନୁଯାୟୀ, ଆଜି ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପା ଏବଂ ମାଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି । ଏହି ରକ୍ତ ନମୁନା ରସୁଲଗଡ ଫୋରେନସିକ୍ ଲାବରେଟୋରୀକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି । ମିଳିଥିବା ମୃତଦେହର ଡିଏନଏ ଓ ନିହାରିକାଙ୍କ ବାପା ଏବଂ ମା’ଙ୍କ ଡିଏନଏ ମେଳ ଖାଇବ ତେବେ ଏହା ନିହାରିକାଙ୍କ ମୃତ ଦେହ ବୋଲି ପ୍ରମାଣିତ ହୋଇଯିବ ।

ଅପରପକ୍ଷରେ, ନର୍ସ ନିହାରିକାଙ୍କ ପ୍ରେମିକ ତଥା ଭାବି ସ୍ୱାମୀ କିଶୋର ଆଞ୍ଚଲ ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଗତକାଲି ଆତ୍ମସମର୍ପଣ କରିଥିଲା । ଏହି ହତ୍ୟାକାଣ୍ଡ ଉପରୁ ରହସ୍ୟ ଉଠାଇବାକୁ ପୋଲିସ ରାଜକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ତେବେ ଖୁବଶୀଘ୍ର ଏହି ମଡର ମିଷ୍ଟ୍ରି ଉପରୁ ପୋଲସ ପରଦା ହଟାଇବ ବୋଲି ଆଶା ବ୍ୟକ୍ତ କରିଛି ।

ଗତ ୧୭ ତାରିଖ ଦିନ ସକାଳେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ଅଖାରେ ବନ୍ଧା ହୋଇ ରହିଥିବା ନିହାରିକାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା । ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ । ସେ ଗତ ୪ ବର୍ଷ ହେଲା କଟକ କଲ୍ୟାଣୀ ନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂହୋମ୍ରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ଦିନ ୪ଟା ବେଳେ ସେ ତାଙ୍କ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜା ସହ ନର୍ସିଂ ହୋମରୁ ବାହାରକୁ ଯାଇ ଆଉ ଫେରିନଥିଲେ । ୧୭ ତାରିଖ ଦିନ ବିଲୁଆ ଖାଇ ନଦୀ ପଠାରୁ ଶବ ମିଳିବା ପରେ ନିହାରିକାଙ୍କ ପରିବାରଲୋକ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । କିଶୋର ଆଞ୍ଚଲ ଫେରାର ଥିବାରୁ ପୋଲିସ କିଶୋର ଆଞ୍ଚଲର ବାପା, ସାନ ଭାଇ ଏବଂ ଅନ୍ୟ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଆସନ୍ତା ଡିସେମ୍ବର ମାସରେ ନିହାରିକା ଓ କିଶୋରଙ୍କ ବିବାହ ହେବାକୁ ସ୍ଥିର କରାଯାଇଥିଲା ।

Leave a comment