ଧାମନଗର ଉପନିର୍ବାଚନ; ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି

ଧାମନଗର ଉପନିର୍ବାଚନରେ ଖୋଲାଖୋଲି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ଧାମନଗର ଉପନିର୍ବାଚନ ପାଇଁ ଏସ୍ଏଚଜି ମହିଳା ଟଙ୍କା ବାଂଟିବା ଘଟଣାକୁନେଇ ତଥ୍ୟ, ପ୍ରମାଣ ସହ ପୂର୍ବରୁ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା ।
ଏହି ଅଭିଯୋଗକୁ ଅନୁଧ୍ୟାନ କରିବା ସହ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସିଇଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଯେଉଁମାନେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଘଂନ କରି ଟଙ୍କା ବାଂଟୁଛନ୍ତି ଏବଂ ସାଧାରଣରେ ଲାଂଚ ଘୋଷଣା କରୁଛନ୍ତି ତାଙ୍କ ବିରୋଧରେ କେବଳ ଏଫଆଇଆର ଦେଲେ ହେବ ନାହିଁ ବରଂ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି ।
ଧାମନଗର ନିର୍ବାଚନ ମଣ୍ଡଳୀରେ ୨୬ଟି ଅତି ସମ୍ବେଦନଶୀଳ ଓ ୮୭ ସମ୍ବେଦନଶୀଳ ଥିବା ବୁଥ୍ ତାଲିକା ସିଇଓଙ୍କୁ ବିଜେପି ଲିଖିତ ଅବଗତ କରିଛି । ଏହି ବୁଥ୍ ଗୁଡିକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ଏକ ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରାଯାଇଥିବା ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ସରକାରୀ ବେତନପ୍ରାପ୍ତ ସ୍ଥାୟୀ ଓ ଠିକା କର୍ମଚାରୀ ଯେଉଁମାନେ କି ସେହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ଦୂରେଇ ରଖିବାକୁ ସିଇଓଙ୍କୁ ବିଜେପି ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।