ସୋନିଆଙ୍କୁ ଦିଲ୍ଲୀରେ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବ କଂଗ୍ରେସରେ ଗୋଷ୍ଠୀ ରାଜନୀତିକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ସୋନିଆଙ୍କ ସହ ଅମରିନ୍ଦରଙ୍କ ବୈଠକ ଦୀର୍ଘ ୮୦ ମିନିଟ୍‌ କାଳ ଚାଲିଥିଲା। ପରେ ଅମରିନ୍ଦର ଗଣମାଧ୍ୟମକୁ ଭେଟିଥିବା ବେଳେ ବେଶ୍ ମାପିଚୁପି ଜବାବ ଦେଇଛନ୍ତି। ତେବେ ଏଥିରେ ଆଗାମୀ ନିର୍ବାଚନକୁ ନେଇ ଦଳର ହାଇକମାଣ୍ଡଙ୍କ ସହ ତାଙ୍କର ଆଲୋଚନା ହୋଇଥିବା କହିଛନ୍ତି।
ନିକଟରେ କଂଗ୍ରେସକୁ ପୁଣି ଫେରିଥିବା ନବଜ୍ୟୋତ ସିଂ ସିଦ୍ଧୁ ଦିଲ୍ଲୀରେ ପ୍ରିୟଙ୍କା ଓ ରାହୁଲଙ୍କୁ ଭେଟିଥିଲେ। ପରେ ସେ ପଞ୍ଜାବ ଫେରିଯାଇଥିବା ବେଳେ ବିଦ୍ୟୁତ ସଂକଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ। ତେବେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ପ୍ରସଙ୍ଗରେ କଣ ଆଲୋଚନା ହେଲା ବୋଲି ଗଣମାଧ୍ୟମ ପ୍ରଶ୍ନର ଜବାବକୁ ଟାଳିଯାଇଛନ୍ତି। ସୋନିଆଙ୍କ ସହ ଆଲୋଚନାରେ କେବଳ ରାଜ୍ୟର ବିକାଶ କାର୍ଯ୍ୟକ୍ରମ ଓ ଆଗାମୀ ନିର୍ବାଚନ ପ୍ରସଙ୍ଗ ଚର୍ଚ୍ଚା ହୋଇଥିବା କ୍ୟାପ୍ଟେନ କହିଛନ୍ତି।
ତେବେ ସିଦ୍ଧୁଙ୍କ ସମ୍ପର୍କରେ ତାଙ୍କୁ କିଛି ପଚରା ଯାଇନଥିବା କି ତାଙ୍କୁ ନେଇ ସେ କୌଣସି ଆଲୋଚନା କରିନଥିବା ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟ କଂଗ୍ରେସ ସମ୍ପର୍କରେ ଦିଲ୍ଲୀ ନିଷ୍ପତ୍ତିକୁ କ୍ୟାପ୍ଟେନ ଚୂଡ଼ାନ୍ତ ବୋଲି କହିଛନ୍ତି। ହାଇକମାଣ୍ଡ ଯାହା କହିବେ ତାହା ତାଙ୍କୁ ସ୍ୱୀକାର ବୋଲି ସେ ସୂଚିତ କରିଛନ୍ତି। ତେବେ ରାଜ୍ୟରେ ତାଙ୍କ ପ୍ରତି ସିଦ୍ଧୁଙ୍କ ଆକ୍ରମକ ବ୍ୟବାହରରେ ଅମରିନ୍ଦର ମଙ୍ଗଳବାର ସୋନିଆଙ୍କୁ ଭେଡି ବେଶ୍ ଆଶ୍ୱସ୍ତ ଥିବା ଜଣାପଡିଛନ୍ତି।

Leave a comment