ଜୁଇରେ ନିଆଁ ଲାଗିବା ବେଳେ ଚେଇଁ ଉଠିଲା ଶବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଇରେ ନିଆଁ ଲାଗିବା ସମୟରେ ଉଠି ବସିଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘଟିଛି । ଜୁଇ ଉପରେ ଶବ ଉଠି ବସିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ମୃତକ ବଞ୍ଚିଥିବା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗଞ୍ଜମ ଜିଲ୍ଲା ଭଞ୍ଜନଗର ସୋରଡା ବ୍ଲକ ହରିପୁର ଗାଁର ସୀମାଞ୍ଚଳ ନାୟକ ଶନିବାର ସକାଳେ ଛେଳି ଚରାଇବାକୁ ଯାଇଥିଲେ । ମାତ୍ର ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ରବିବାର ସକାଳେ ବିଲରେ ଚେତାଶୂନ୍ୟ ଅବସ୍ଥାରେ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ସୀମାଞ୍ଚଳଙ୍କୁ ପାଣି ଛାଟି ଉଠାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ସେ ଉଠିନଥିଲେ । ତେଣୁ ତାଙ୍କର ମୃତ୍ୟୁ ଘଟିଥିବା ଭାବି ପରିବାର ଲୋକେ ଶବସତ୍କାର କରିବାକୁ ନିଷ୍ପତି ନେଇଥିଲେ ।
ରୀତିନୀତି ଅନୁସାରେ ତାଙ୍କୁ କୋକେଇରେ ନିଆଯାଇଥିଲା । ଜୁଇରେ ନିଆଁ ଲାଗିବା ମାତ୍ରେ ସେ ହଠାତ ଉଠି ବସିଥିଲେ । ଏହାକୁ ଦେଖି ଶବସତ୍କାର ପାଇଁ ଯାଇଥିବା ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ସୀମାଞ୍ଚଳ ଜୀବୀତ ଥିବା ଜଣାପଡିବା ପରେ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସ୍ଥିର ଥିବା ଜଣାପଡିଛି ।