ପିଲାମାନଙ୍କୁ ସେଫ୍ଟି ଟାଙ୍କି ସଫା କରିବାକୁ ବାଧ୍ୟ କରିବା ପ୍ରଧାନଶିକ୍ଷକଙ୍କୁ ପଡିଲା ମହଙ୍ଗା

0

କର୍ଣ୍ଣାଟକର ଏକ ରେସିଡେନ୍ସିଆଲ ସ୍କୁଲରେ ପିଲାମାନଙ୍କୁ ସେଫ୍ଟି ଟାଙ୍କି ସଫା କରିବାକୁ ବାଧ୍ୟ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରଧାନଶିକ୍ଷକ ଓ ଅନ୍ୟ ଦୁଇଜଣ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହିତ ଚାରି ଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । ଏହି ଘଟଣାର ଏକ ଭିଡିଓ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଏହି ଘଟଣା କୋଲାରର ମୋରାର୍ଜୀ ଦେଶାଇ ରେସିଡେନ୍ସିଆଲ ସ୍କୁଲରେ ଘଟିଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ୧୯ ଜଣ ଛାତ୍ରୀଙ୍କ ସମେତ ମୋଟ ୨୪୩ଜଣ ପିଲା ପାଠପଢ଼ନ୍ତି।

କେବଳ ଏତିକି ନୁହେଁ ଏହି ବିଦ୍ୟାଳୟରେ ଦଣ୍ଡ ସ୍ୱରୂପ ପିଲାଙ୍କୁ ଓଜନିଆ ସ୍କୁଲ ବ୍ୟାଗ କାନ୍ଧରେ ଝୁଲାଇ ପଡ଼ିଆରେ ଅନେକ ସମୟ ଧରି ଚାଲିବାକୁ କୁହାଯାଇଥିଲା। ଯାହ‌ାର ଏକ ଭିଡିଓ ବି ସେଫ୍ଟି ଟାଙ୍କି ସଫା କରିବା ଭିଡିଓ ପୂର୍ବରୁ ସାମ୍ନାକୁ ଆସିଥିଲା। ଭିଡିଓରେ କିଛି ଛାତ୍ରମାନେ ଭାରସାମ୍ୟ ହରାଇ ତ‌ଳେ ପଡ଼ିଯାଉଥିବା ବି ଦେଖିବାକୁ ମିଳୁଛି।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ପୁଲିସ ସ୍କୁଲ୍ ପ୍ରଧାନଶିକ୍ଷକ ଭରତମ୍ମା ଏବଂ ଜଣେ ଶିକ୍ଷକ ମୁନିୟପ୍ପାଙ୍କୁ ଗିରଫ କରିଛି। ‌ତେବେ ପୁଲିସ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କୁ ଗିରଫ କରିବା ପରେ ପିଲାଙ୍କ ଜୀବନ ସହିତ ଖେଳି ସେଫ୍ଟି ଟାଙ୍କି କାହିଁକି ସଫା କରିବାକୁ କହିଥିଲେ ସେଥିପାଇଁ ପଚରାଉଚରା ଜାରି ରଖିଛି।

ତେବେ ଯେଉଁ ପିଲାଙ୍କ ଦ୍ବାରା ପ୍ରଧାନଶିକ୍ଷକ ସ୍କୁଲର ସେଫ୍ଟି ଟାଙ୍କି ସଫା କରାଇଥିଲେ ସେମାନଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ଖବର ଲେଖାହେଲା ପର୍ଯ୍ୟନ୍ତ ମିଳିନାହିଁ।

Leave a comment