ଆଗାମୀ ୧୨ ଘଣ୍ଟାରେ ବାତ୍ୟା !

0

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଘନୀଭୂତ ହୋଇ ଆଜି ଗଭୀର ଅବପାତର ରୂପ ନେଇଛି । ଅବପାତ ଗତ ୬ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭ କିମି ବେଗରେ ଗତି କରିବା ସହ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି ।

ଆଗାମୀ ୧୨ ଘଣ୍ଟା ଯାଏ ନିଜ ଗତି ଦିଗ ବଜାୟ ରଖିବ। ଏହାପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ୨୫ ତାରିଖ ସକାଳୁ ବାଂଲାଦେଶରେ ବାତ୍ୟା ସି-ତ୍ରଙ୍ଗ ପ୍ରବେଶ କରିବ । ଏହାର ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ହାଲୁକାରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସକ୍ରିୟ ହେଉଛି । ଉତ୍ତର ଓ ଉତ୍ତର ପୂର୍ବ ଆଡ଼କୁ ଗତି କରି ବାତ୍ୟା ରୂପ ନେବ । ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ବୀପ ସାଣ୍ଡୱିପ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହା ଧାମରା ଓ ପାରାଦ୍ବୀପ ଠାରୁ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବା ନେଇ ଆକଳନ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ସେତେ ବେଶି ନଥିବା କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଯୋଗୁଁ ବାହ୍ୟ ମେଘ ଖଣ୍ଡ ଦ୍ବାରା ରାଜ୍ୟର ଗୋଟେ କିମ୍ବା ୨ଟି ସ୍ଥାନରେ ହାଲକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ଏହା ପ୍ରଭାବରେ ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକରେ ଆଜିଠାରୁ ଆସନ୍ତାକାଲି ଯାଏ ପ୍ରବଳ ବର୍ଷା ହୋଇପାରେ । ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Leave a comment