ସମ୍ଭାବ୍ୟ ତୃତୀୟ ଲହର ଡେଲ୍ଟା ପ୍ଲସ ଭାରିଆଣ୍ଟ ନେଲା ପ୍ରଥମ ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ଭାବ୍ୟ ତୃତୀୟ ଲହର କୁହାଯାଉଥିବା ଡେଲ୍ଟା ପ୍ଲସ ଭାରିଆଣ୍ଟ ଦେଶରୁ ପ୍ରଥମ ଜୀବନ ନେଇଥିବା ଜଣାପଡିଛି। ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ଘଟଣାକୁ ନେଇ ଲୋକେ ଭୟଭୀତ ନହେବା ଲାଗି ବିଶେଷଜ୍ଞ ଟିମ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଏହା ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମୃତ୍ୟୁ ଘଟଣା। ମୃତକ ହେଉଛନ୍ତି ଜଣେ ମହିଳା ଏବଂ ସେ ଉଜ୍ଜୟିନୀ ଜିଲ୍ଲାର ବାସିନ୍ଦା ଥିଲେ। ଏଥିସହିତ ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ ୫ ଜଣ କରୋନା ରୋଗୀଙ୍କ ଠାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି।
ସରକାରୀ ସୂତ୍ରରୁ କୁହାଯାଇଛି ଯେ ଏହି କରୋନା ସଂକ୍ରମିତ ମହିଳା ଜଣଙ୍କ ପଟିଦାର ଡାକ୍ତରଖାନାରେ ମେ’ ୨୩ ତାରିଖରେ ପ୍ରାଣ ହରାଇଥିଲେ। ସେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ତାଙ୍କ ମୃତ୍ୟୁପରେ ନମୁନା ପରୀକ୍ଷା ରିପୋର୍ଟ ଆସିଛି ଏବଂ ସେ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାଯାଇଛି। ତାଙ୍କ ସହିତ ଅନ୍ୟ ୧୪ ଜଣଙ୍କର ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ଉକ୍ତ ମହିଳା ଓ ଅନ୍ୟ ଚାରିଜଣ ଡେଲଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଇତିମଧ୍ୟରେ ସେହି ୪ ଜଣ ସୁସ୍ଥ ହୋଇସାରିଛନ୍ତି।