“ଜଣେ ସଂକ୍ରମିତ ମାସରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ”
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ବବ୍ୟାପୀ କରୋନା (କୋଭିଡ-୧୯) ଏବେ ଆତଙ୍କ ସୃଷ୍ଟି କରିଛି। ଭାରତ ସମେତ ଅଧା ବିଶ୍ବ ଲକ୍ଡାଉନ୍ରେ ରହିଛି। ତେବେ ଲକ୍ଡାଉନ୍କୁ ପାଳନ କରିବା ଓ ପାଳନ ନ କଲେ କରୋନା କିଭଳି ଢଙ୍ଗରେ ବ୍ୟାପିଥାଏ ତାହାର ଏକ ତଥ୍ୟ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ତଥ୍ୟ ଉପସ୍ଥାପନ କରାଯାଇଛି।
ସରକାରଙ୍କ ତଥ୍ୟ ଅନୁସାରେ, ଜଣେ ବ୍ୟକ୍ତି ଯଦି ଲକ୍ଡାଉନ୍, ହାତ ଧୋଇବା କିମ୍ବା ସାମାଜିକ ଦୂରତ୍ବକୁ ପାଳନ କରୁନାହିଁ ତାହାଲେ ସେ ୫ଦିନରେ ୨.୫ ଜଣ ଲୋକକୁ ସଂକ୍ରମିତ କରିଥାଏ। ଏହି ସଂକ୍ରମିତ ବ୍ୟକ୍ତିମାନେ ଗୋଟିଏ ମାସରେ ୪୦୬ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରି ପକାଇଥାନ୍ତି। କହିବାକୁ ଗଲେ ଜଣେ ବ୍ୟକ୍ତି କୌଣସି ନିୟମ ପାଳନ ନ କଲେ ମାସକରେ ୪୦୬ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। ଅପରପକ୍ଷରେ ଯଦି ସଂପୃକ୍ତ ବ୍ୟକ୍ତି ଜଣକ ଅଧା ଲକ୍ଡାଉନ୍ ନିୟମ ଓ ଅନ୍ୟାନ୍ୟ ନିୟମକୁ ପାଳନ କରୁଛି ତାହାଲେ ୫ ଦିନରେ ସେ ୧.୫ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। ସେହି ବ୍ୟକ୍ତିମାନେ ଗୋଟିଏ ମାସର ୧୫ଜଣଙ୍କୁ ସଂକ୍ରମିତ କରିଥାନ୍ତି।
ତେବେ ସଂପୃକ୍ତ ସଂକ୍ରମିତ ବ୍ୟକ୍ତି ୭୫ % ଲକ୍ଡାଉନ୍ ନିୟମକୁ ପାଳନ କଲେ ମାସକରେ ସେମାନଙ୍କ ଠାରୁ ମାତ୍ର ୨.୫ଜଣ ଲୋକ ସଂକ୍ରମିତ ହେବେ ବୋଲି ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି। ତେଣୁ ଲକ୍ଡାଉନ୍ ନିୟମକୁ ମାନିବା ସହିତ ହାତ ଧୋଇବା ଓ ସାମାଜିକ ଦୂରତ୍ବକୁ ବଜାୟ ରଖିବା ଲାଗି ସେ ଅନୁରୋଧ କରିଥିଲେ।