କରୋନା ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ଦେଉଛି ରୁଷ୍: ଯୁକ୍ତରାଷ୍ଟ୍ର ଆମେରିକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାଭାଇରସ୍ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରି ଲୋକମାନଙ୍କୁ ଭୟଭୀତ କରିବାକୁ ଅନେକ ରୁଷୀୟ ନାଗରିକ ସାମାଜିକ ଗଣମାଧ୍ୟରେ ମିଳିତ ଉଦ୍ୟମ ଚଳାଇଛନ୍ତି ବୋଲି ଆମେରିକା କହିଛି। ଫଳରେ ଏହି ମହାମାରୀ ଭୂତାଣୁର ମୁକାବିଲା କରିବାକୁ ଚାଲିଥିବା ବିଶ୍ୱସ୍ତରୀୟ ପ୍ରଚେଷ୍ଟାରେ ବାଧା ସୃଷ୍ଟି ହୋଇଛି।
କେବଳ ସେତିକି ନୁହେଁ, ‘କୋଭିଡ୍-୧୯’ (କରୋନାଭାଇରସ୍) ବ୍ୟାପିବା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକା ରହିଛି ବୋଲି ରୁଷ୍ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଥିବା ଲୋକେ କହୁଛନ୍ତି। ସମଗ୍ର ବିଶ୍ୱରେ ଆମେରିକାର ଭାବମୂର୍ତ୍ତି କ୍ଷୁଣ୍ଣ କରିବା ନିମନ୍ତେ ଏଭଳି ଅପପ୍ରଚାର କରାଯାଉଛି ବୋଲି ଆମେରିକୀୟ ସରକାରୀ ଅଧିକାରୀମାନେ କହିଛନ୍ତି।ରୁଷ୍ର ଅପପ୍ରଚାରକୁ ମୁକାବିଲା କରିବା ନିମନ୍ତେ ଆମେରିକାର ବୈଦେଶିକ ବିଭାଗର ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ସେମାନେ ଗଣମାଧ୍ୟମକୁ କହିଛନ୍ତି ଯେ ଟୁଇଟର୍, ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ ଜରିଆରେ ରୁଷ୍ ଦେଉଥିବା ବିଭ୍ରାନ୍ତିକର ତଥ୍ୟକୁ ବହୁଭାଷାରେ ଅନୁବାଦ କରାଯାଇ ପୋଷ୍ଟ୍ କରାଯାଉଛି।
ଏହା ଚୀନ୍ ବିରୋଧରେ ଆମେରିକାର ଅର୍ଥନୈତିକ ଯୁଦ୍ଧ ଘୋଷଣା ବୋଲି କେତେକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାରକ ଦାବି କରିଛନ୍ତି। ଏହି ଭାଇରସ୍ ‘ସିଆଇଏ’ ଦ୍ୱାରା ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂକ୍ରାନ୍ତ କାର୍ଯ୍ୟକ୍ରମ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରିଥିବା ମାଇକ୍ରୋସଫ୍ଟ୍ର ସହ-ସଂସ୍ଥାପକ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା କଥା ସେମାନେ ଦାବି କରୁଛନ୍ତି।
ଜାନୁଆରି ମାସର ଦ୍ୱିତୀୟ ସପ୍ତାହ ପରେ ଏଭଳି ହୀନ ଉଦ୍ୟମ ଆରମ୍ଭ ହୋଇଥିବା କଥା ଆମେରିକା କହିଛି।