ଦିଲ୍ଲୀ ଏୟାରପୋର୍ଟକୁ ପରମାଣୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପରମାଣୁ ବୋମା ମାଡ଼ କରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ (ଆଇଜି) ଅନ୍ତର୍ଜାତୀୟ ବିମାନ ବନ୍ଦର ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ । ତେବେ ଏହି ଦୁଇ ଯାତ୍ରୀଙ୍କୁ ଏବେ ଅଟକ ରଖାଯାଇଛି ଏବଂ ସେମାନଙ୍କୁ ଜେରା କରାଯାଉଛି । ଦିଲ୍ଲୀ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଗତ ୫ ତାରିଖରେ ଦିଲ୍ଲୀର ଆଇଜି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନରେ ଯିବାପାଇଁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କୁ ଯେତେବେଳେ ଯାଞ୍ଚ୍ କରାଯାଇଥିଲା, ସେତେବେଳେ ଏହି ଦୁଇ ଯାତ୍ରୀ, ସୁରକ୍ଷାକର୍ମୀଙ୍କୁ ପରମାଣୁ ବୋମାରେ ବିମାନବନ୍ଦର ଉଡାଇଦେବାକୁ ଧମକ ଦେଇଥିଲେ ।
ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ସେ ଦୁଇ ଯାତ୍ରୀଙ୍କୁ ଗିରଫ କରିଥିଲେ ଏବଂ ବିମାନ ବନ୍ଦର ପୁଲିସ୍ ଜିମା ଦେଇଥିଲେ । ବିମାନବନ୍ଦର ପୁଲିସ୍ ପକ୍ଷରୁ ସେମାନଙ୍କ ବିରୋଧରେ ଧାରା ୧୮୨/୫୦୫ (୧-ବି) ଅନୁସାରେ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ୍ ମଧ୍ୟ ଏହି ଧମକକୁ ଗୁରୁତ୍ୱର ସହ ଗ୍ରହଣ କରିବା ଏବଂ ଏନେଇ ବିମାନବନ୍ଦର ପରିସରରେ ଛାନବିନ୍ କରିବା ଆରମ୍ଭ କରିଦେଇଛି ।