ବର୍ଷକ ପରେ ‘ଷଡ଼ଯନ୍ତ୍ର’ ଉପରୁ ହଟିଲା ପରଦା: କିଏ ସେ ‘ବିଭୀଷଣ’, କାହିଁକି ହାରିଗଲେ ପ୍ରତାପ-ଅତନୁ

0

କେନ୍ଦ୍ରାପଡ଼ା, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପରେ ‘ଷଡ଼ଯନ୍ତ୍ର’ ଉପରୁ ପରଦା ହଟିଛି । ବିଜେଡିର ଅଭେଦ୍ୟ ଦୁର୍ଗ ମାହାଙ୍ଗା ଓ ମହାକାଳପଡ଼ା ବିଧାନସଭା ଆସନରେ ଦଳର ଦୁଇ ହେଭିୱେଟ୍ ନେତା ପରାଜିତ ହେବାପଛରେ ‘ଗୃହଭେଦୀ ବିଭୀଷଣ’ଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତା ଏବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ମାହଙ୍ଗାରେ ପ୍ରତାପ ଜେନା(ପୁଅ ଅଙ୍କିତ ପ୍ରାର୍ଥୀ ହୋଇଥିଲେ) ଓ ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ନାୟକ ନିଜ ନିର୍ବାଚନମଣ୍ଡଳୀର ବହୁ ଦଳୀୟ କର୍ମୀ-ଶୁଭେଚ୍ଛୁଙ୍କ ପରାମର୍ଶ-ଚେତାବନୀକୁ ଅଣଦେଖା କରି ନିଜର ‘ଚଳନ୍ତି ପ୍ରତିମା’ଙ୍କୁ ଆଖିବୁଜି ବିଶ୍ୱାସ କରିବା ଓ ମାତ୍ରାଧିକ ନିର୍ଭରଶୀଳ ରହିବା ଉଭୟଙ୍କୁ ମହଙ୍ଗା ପଡ଼ିଛି । ମାହାଙ୍ଗାରେ ପ୍ରତାପଙ୍କ ‘ଚଳନ୍ତି ପ୍ରତିମା’ ବା ‘ଆଖିକାନ’ ଭାବେ ପରିଚିତ ଅଶୋକ ଓଝା(ଟିଟୁଆ) ଗତମାସରେ ବିଜେପିରେ ମିଶିବା ପରେ ମହାକାଳପଡ଼ାରେ ସଞ୍ଜୟ ଲେଙ୍କା (ଚୁପି) କରିଥିବା ‘ସିକ୍ରେଟ୍ ଡିଲ୍‌’ ଓ ସୁଚିନ୍ତିତ ଷଡ଼ଯନ୍ତ୍ରର ଚିତ୍ର ମଧ୍ୟ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଏସବୁ କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ ।

ସୂଚନା ଅନୁସାରେ, ବିଜେଡିର ଦୁର୍ଗ ଭାବେ ପରିଚିତ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରୁ ୫ଟିରେ ବିଜେଡି ନିଜର ବିଜୟଧାରା ବଜାୟ ରଖିଥିବାବେଳେ ମାହାଙ୍ଗା ଓ ମହାକାଳପଡ଼ା ବିଧାନସଭା ଆସନରେ ପରାଜିତ ହେଲା । ମାହାଙ୍ଗାରେ ବିଜେଡି ନିଜର ହେଭିୱେଟ୍ ନେତା ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତଙ୍କୁ ପ୍ରାର୍ଥୀ କରିଥିଲା । ଆଉ ପୁଅକୁ ଜିତାଇବା ପାଇଁ ବି ପ୍ରତାପ ନିଜର ସବୁ ସାମର୍ଥ୍ୟ ଲଗାଇ ଦେଇଥିଲେ । ମାହାଙ୍ଗା ନିର୍ବାଚନମଣ୍ଡଳୀରେ ପ୍ରତାପଙ୍କ ‘ଆଖିକାନ’ ହୋଇ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଟିଟୁଆଙ୍କ ଉପରେ ନିର୍ବାଚନ ପରିଚାଳନାର ଦାୟିତ୍ୱ ରହିଥିଲା । ପ୍ରତାପଙ୍କ ଖାସ୍ ଭାବେ ଟିଟୁଆ ଓ ତାଙ୍କ ପତ୍ନୀ ନିଶ୍ଚିନ୍ତକୋଇଲି ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସମେତ ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି । ଟିଟୁଆଙ୍କ ଉପରେ ସମ୍ପୂର୍ଣ୍ଣ ମାହାଙ୍ଗା ନିର୍ବାଚନମଣ୍ଡଳୀର ଦାୟିତ୍ୱ ମଧ୍ୟ ପ୍ରତାପ ନ୍ୟସ୍ତ କରିଥିଲେ । ଟିଟୁଆଙ୍କ ବିନା ପ୍ରତାପ ମାହାଙ୍ଗା ନିର୍ବାଚନମଣ୍ଡଳୀରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉନଥିଲେ । କିନ୍ତୁ ସାଧାରଣ ନିର୍ବାଚନରେ ପ୍ରତାପଙ୍କ ପୁଅକୁ ଦଳୀୟ ଟିକେଟ୍ ମିଳିବା ପରେ ଟିଟୁଆ ‘ଗୃହଭେଦୀ ବିଭୀଷଣ’ ସାଜିଥିଲେ ବୋଲି ଏବେ ପ୍ରମାଣିତ ହୋଇଛି ।

ନିର୍ବାଚନବେଳେ ଟିଟୁଆ ମାହାଙ୍ଗାରେ ବିଜେଡିର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଧାୟକ ଶାରଦା(ବୁଲୁ) ପ୍ରଧାନଙ୍କ ସହ ଅଲଗା ଅଲଗା ‘ଡିଲ୍‌’ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତା’ଉପରେ ଟିଟୁଆ ଗତମାସରେ ନିଜେ ମୋହର ମାରିଛନ୍ତି । ବିଜେଡିରୁ ଇସ୍ତଫା ଦେଇ ସେ ବୁଲୁ ପ୍ରଧାନଙ୍କ କ୍ୟାମ୍ପରେ ଯୋଗ ଦେଇସାରିଲେଣି । ପ୍ରତାପ ନିଜର ବହୁ ଶୁଭେଚ୍ଛୁଙ୍କ ପରାମର୍ଶକୁ ଅଣଦେଖା କରି ଟିଟୁଆଙ୍କ ଉପରେ ଯେଉଁ ମାତ୍ରାଧିକ ଭରସା କରିଥିଲେ ତା’ର ପରିଣାମ ତାଙ୍କୁ ବେଶ୍ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି ।ସେହିପରି କେନ୍ଦ୍ରାପଡ଼ା ରାଜନୀତିରେ ବିଜେଡିର ସବୁଠୁ ସଫଳ ଗୋଟିଚାଳନକାରୀ ଅଭିଜ୍ଞ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ପ୍ରତାପଙ୍କ ଦଶା ଭୋଗିବାକୁ ପଡ଼ିଥିବା ଚର୍ଚ୍ଚା ହେଉଛି । ଅତନୁଙ୍କ ବଳରେ ବଳିୟାନ ହୋଇ ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ତାଙ୍କର ‘ଆଖିକାନ’ ଓ ଚଳନ୍ତି ପ୍ରତିମା ସାଜିଛନ୍ତି ମାର୍ଶାଘାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ ଏବେ ବିଜେଡି ବ୍ଲକ ସଭାପତି ସଞ୍ଜୟ ଲେଙ୍କା । ଶୁଣିବାକୁ ମିଳେ, ସଞ୍ଜୟ ଓରଫ ଚୁପିଙ୍କ ବିନା ଜାଣତରେ ମହାକାଳପଡ଼ାରେ ଅତନୁ କୁଆଡ଼େ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ । ଅତନୁଙ୍କର ୨୦୨୪ ସାଧାରଣ ନିର୍ବାଚନ ପରିଚାଳନାର ସବୁ ଦାୟିତ୍ୱ ଚୁପିଙ୍କ ଉପରେ ଥିଲା । କିନ୍ତୁ ଚୁପି କୁଆଡ଼େ ଏଥର ନିଜର ଗୁପିଚୁପି ସୈତାନୀ ବୁଦ୍ଧିରେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ସହ ‘ସିକ୍ରେଟ୍ ଡିଲ’ କରି ଅତନୁଙ୍କୁ ପଛରୁ ଛୁରୀମାଡ଼ କରିଥିବା ଚର୍ଚ୍ଚା ଜୋର ଧରିଲାଣି ।

ନିର୍ବାଚନବେଳେ ଓ ଫଳାଫଳ ଆସିବା ପରେ ଚୁପିଙ୍କର ସନ୍ଦେହଜନକ କାରବାରକୁ ନେଇ ଯେଉଁ କିଛି କର୍ମୀ ଓ ଶୁଭେଚ୍ଛୁ ମୁହଁ ଖୋଲିଥିଲେ ସେମାନଙ୍କୁ ଅତନୁ ନାଲିଆଖି ଦେଖାଇ କୁଆଡ଼େ ଚୁପ୍ କରାଇବାକୁ ପଛାଇ ନାହାନ୍ତି । ମାତ୍ର ଅତନୁଙ୍କ ନିର୍ବାଚନ ପରିଚାଳନା କରିଥିବା ଚୁପି ଭିତରେ ଭିତରେ ବୈଜୟନ୍ତଙ୍କ ଗୁପ୍ତ ଏଜେଂଟ ଭାବେ କାମ କରି ଅତନୁଙ୍କ ହାରିବା ମାର୍ଗକୁ ପ୍ରଶସ୍ତ କରାଇ ଦେଲେ ବୋଲି ମହାକାଳପଡ଼ାରେ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଦଳୀୟ ପ୍ରାର୍ଥୀ ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅଙ୍କୁ ପାଟକୁରାରେ ଜିତାଇବା ପାଇଁ ଅତନୁ ନିଜର ପୁରୁଣା ବିବାଦକୁ ଭୁଲି ଫୁଲ୍ ଦମରେ ମାର୍ଶାଘାଇର ୭ଟି ପଞ୍ଚାୟତରେ ନିଜର କର୍ମୀମାନଙ୍କୁ ବୁଝାଇ ସଫଳ ହୋଇଥିଲେ ବି ବିଜୟ କୁଆଡ଼େ ନିଜର’ଦଂଶନ’ ସ୍ବଭାବ ନଛାଡି଼ ଚୁପିଙ୍କୁ ହାତବାରିସି କରି ମହାକାଳପଡ଼ାରେ’ଢୋଲ ଭିତରେ ମୂଷା’ ଭଳି କାର୍ଯ୍ୟ କରିଥିଲେ। ବିଜୟ-ବୈଜୟନ୍ତ ଓ ବବିଙ୍କ ରଣନୀତିରେ ଅତନୁଙ୍କ ଅଣ୍ଟି ଛୁରୀ ସାଜିଥିବା ‘ଚୁପି’ ଏବେ ଯେକୌଣସି ମୁହୂର୍ତ୍ତରେ ବିଜେପି ଶିବିରକୁ ଲମ୍ଫ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଏତେସବୁ ସତ୍ତ୍ୱେ ଅତନୁଙ୍କ ଭଳି ଅଭିଜ୍ଞ ଓ ଚତୁର ନେତା କେଉଁ ଅଦୃଶ୍ୟ କାରଣରୁ ଏବେବି ସଞ୍ଜୟ ଓରଫ ଚୁପିକୁ କୋଳେଇ ରଖିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚୁପିଙ୍କ ବିଶ୍ୱାସଘାତକତା କଥା ଅତନୁ ଜାଣିନାହାନ୍ତି ନା ଅନ୍ୟ କେଉଁ ବାଧ୍ୟବାଧକତା ପାଇଁ ଜାଣି ନିରବ ରହିଛନ୍ତି ତାହା ବି ଅସ୍ପଷ୍ଟ ।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ନମ୍ବର-୩ ଭାବେ ପରିଚିତ ପ୍ରଣବପ୍ରକାଶ ଦାସ ଓରଫ ବବି ହିଁ ସେତେବେଳେ ପ୍ରତାପ ଓ ଅତନୁଙ୍କୁ ଚେକ୍ ଦେବାକୁ ସେମାନଙ୍କର ‘ଆଖିକାନ’ଙ୍କୁ ବିଭିନ୍ନ ଉପାୟରେ କରାୟତ କରି ବୈଜୟନ୍ତଙ୍କ ‘ସିକ୍ରେଟ୍ ଏଜେଂଟ’ କରାଇ ଦେଇଥିଲେ ବୋଲି ଚର୍ଚ୍ଚା ।

Leave a comment