ବାଙ୍କୀ ଡବଲ୍ ମର୍ଡର: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ଜିଲ୍ଲା ବାଙ୍କୀ ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି, “ବାଙ୍କୀରେ ଆମର ଜଣେ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ଜଣେ ସାମ୍ୱାଦିକ ଆଦିତ୍ୟ ରଣ ସିଂଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜନୈତିକ ଶତ୍ରୁତା ପାଇଁ ସେମାନଙ୍କୁ ହତ୍ୟା କରାଯାଇଛି। ଏଥିରେ ବିଜେଡି ଦଳ ସଂପୃକ୍ତ ରହିଛି। ମୁଖ୍ୟମନ୍ତ୍ରୀ ମହାଶୟ ଅହିଂସାର ଡାକରା ଦେଇଥିବା ବେଳେ ତାଙ୍କ ଦଳର ଲୋକମାନେ ଏପରି ବ୍ୟବହାର କରୁଛନ୍ତି। ଆମେ ଏହି ଘଟଣାର ତୀବ୍ର ନିନ୍ଦା କରୁଛୁ।
ଏହି ହତ୍ୟାକାଣ୍ଡରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତ ଥିବା ନେଇ ମୃତକଙ୍କ ପତ୍ନୀ ତଥା ନୂଆଗାଁ ସରପଞ୍ଚ ମମତା ମହାପାତ୍ର ଅଭିଯୋଗ ଆଣିଥିଲେ। ଏହି ମାମଲାରେ ପୁଲିସ୍ ବଳଭଦ୍ର ପ୍ରଧାନ, ଜିତୁ ସ୍ୱାଇଁ ନାମକ ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ଓ ତାଙ୍କ ସହଯୋଗୀ ତଥା ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଦୁହେଁ ଖଜୁରିପଦା-ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ବାଇକରେ ଫେରୁଥିଲା ବେଳେ ଯୋକଲାଞ୍ଜିଠାରେ କିଛି ଦୁର୍ବୁତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଉଭୟଙ୍କ ମୃତ୍ୟୁ ହୋଇଥିଲା ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗକୁ ନେଇ ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ପ୍ରତିକ୍ରିୟା ମିଳିନାହିଁ।