ଅଶ୍ୱିନୀଙ୍କ ପ୍ରାର୍ଥୀତ୍ବକୁ ନେଇ କଂଗ୍ରେସର କଟାକ୍ଷ, ଜବାବ ରଖିଲେ ଦାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ରାଜ୍ୟସଭା ପଠାଇବା ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ପକ୍ଷରୁ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରାଯାଉଛି । ପୂର୍ବତନ ପ୍ରଶାସନିକ ଅଧିକାରୁ ରାଜନୀତିକୁ ପ୍ରବେଶ କରିଥିବା ଅଶ୍ୱିନୀଙ୍କୁ ବିଜେଡି ସପୋର୍ଟ କରିବା ପରେ, ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଏହି କ୍ରମରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଅଶ୍ୱିନୀ ଖଣି ମାଲିକ ନା ନୁହନ୍ତି ତାହାର ଉତ୍ତର ରଖନ୍ତୁ । ଖଣି ବ୍ୟବସାୟ ସହ ଅଶ୍ୱିନୀ ସଂପୃକ୍ତ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରନ୍ତୁ । ଓଡ଼ିଆଙ୍କ ସ୍ବାର୍ଥ କଥା କହୁଥିବା ବିଜେଡି କିଭଳି ଜଣେ ଅଣଓଡ଼ିଆଙ୍କୁ ସମର୍ଥନ କରିଥିବା ଯୋଗୁ ଓଡ଼ିଶାବାସୀ ଲଜ୍ଜିତ । ଏଥିସହ ଜଣେ ଅଣଓଡ଼ିଆଙ୍କୁ ରାଜ୍ୟ ସଭା ପଠାଇବା ଦୁର୍ଭାଗ୍ୟଜନକ ବୋଲି ନରସିଂହ କହିଛନ୍ତି ।
ନରସିଂହଙ୍କ କଟାକ୍ଷର ଉତ୍ତର ରଖି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି, ଅଶ୍ୱିନୀଙ୍କ ପ୍ରାର୍ଥତ୍ତ୍ୱଙ୍କୁ ବିଜେଡି ସମର୍ଥନ କରିବା ଫଳରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ସୁସମ୍ପର୍କ ଜାତ ହୋଇଛି । ଯାହା ରାଜ୍ୟର ଉନ୍ନତିରେ ସହାୟକ ହେବ ବୋଲି ଦାମ କହିଛନ୍ତି।
ପ୍ରକାଶଥାଉ କି, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ କୁମାରଙ୍କୁ ବିଜେଡି ସମର୍ଥନ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ମଧ୍ୟ ଆଜି ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଏହି ସମର୍ଥନ ପଛରେ କୌଣସି ଗୁପ୍ତ ବୁଝାମଣା ନାହିଁ ବରଂ ଖୋଲା ବୁଝାମଣା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଶ୍ୱିନୀଙ୍କୁ ରାଜ୍ୟ ସଭାକୁ ପଠାଇଛନ୍ତି । ଏହାଦ୍ୱାରା ରାଜ୍ୟର ବିକାଶ ହେବ ବୋଲି ସେ କହିଛନ୍ତି ।