ଶେରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, କେନ୍ଦ୍ରକୁ କଲେ ଟାର୍ଗେଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜ ନିର୍ବାଚନ ମଣ୍ଡଳୀ ତଥା ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି । ଏଠାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଥିବା ବେଳେ ପ୍ରଚାର ମଙ୍ଗ ଧରିଛନ୍ତି ନିଜେ ନବୀନ । ପୂର୍ବାହ୍ନରେ ଶେରଗଡ଼ ପେଟ୍ରୋଲ ଟାଙ୍କି ନିକଟରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ଗାଡ଼ିକୁ ସ୍ବାଗତ କରାଯାଇଥିଲା ।
ଏହାପରେ ସେଠାରୁ ଏକ ରାଲିରେ ବାହାରି ସ୍ଥାନୀୟ ଚାରିଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଶେରଗଡ଼ ବଜାର ଛକଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜର ଓ ଲୋକ ସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଏହା ପରେ ବିଜେଡି ପକ୍ଷରୁ ଏକ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା ।
ଏହା ବାରସିଙ୍ଗଠାରୁ ଆରମ୍ଭ ହୋଇ କୁମାରପାଣି, କରଡ଼ାକଣା, ବରମୁଣ୍ଡଳୀ, ବାଦଗଡ଼, ତାକରଡ଼ା, ଧବଳପୁର, ଧନତାର, ଗୋବିନ୍ଦପୁର,ଗୋଠଗାଁ, ଠୁରବୁରାଇ, କ୍ରୁରଲା, ଅଲରିଗଡ଼ରେ ପ୍ରଚାରକରି ହିଞ୍ଜିଳିରେ ଶେଷ ହୋଇଥିଲା । ରୋଡ଼ ଶୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ରର ଅଣଦେଖା ସମ୍ପର୍କରେ କହିବା ସହ ଏଥର ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।