ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ରଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ସାମ୍ବାଦିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମାନସ ମଙ୍ଗରାଜଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଥିଲେ । ଶ୍ରୀ ମଙ୍ଗରାଜଙ୍କର ଅନେକ ଦିନର ସାମ୍ବାଦିକତାରେ ଅନୁଭୂତି ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସାମ୍ବାଦିକଙ୍କ ସୁବିଧା ଅସୁବିଧା ବୁଝି ଏହାକୁ ସମାଧାନ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲେ । ଏହି ଦାୟିତ୍ୱକୁ ଖୁବ ନିଷ୍ଠାର ସହ ଶ୍ରୀ ମଙ୍ଗରାଜ ପାଳନ କରିଥିବା ଆଜି ଦେଖିବାକୁ ମିଳିଛି । ଆଜି ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ୨ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଦୈନିକ ପ୍ରମେୟ ଖବରକାଗଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡା କିଡନୀ ରୋଗରେ ପୀଡିତ ହୋଇ ତାଙ୍କର ଦୁଇଟି ଯାକ ଅକାମୀ ହୋଇଯାଇଛି । ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତିରୋପଣ ପାଇଁ ୯ ଲକ୍ଷ ଟଙ୍କା ଆବଶ୍ୟକ ।

ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ଜଣେ ସାମ୍ବାଦିକ ଭାବେ ମାନସଙ୍କର ସାମ୍ବାଦିକଙ୍କ ପ୍ରତି ରହିଥିବା ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

Leave a comment