ରାଜ୍ୟରେ ବିମାନ ଓ ରେଳ ସେବା ଉପରେ ପ୍ରତିବନ୍ଧକ ଜାରି ରଖିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ମୁକାବିଲା ଲାଗି ନୂଆ ରଣନୀତି ଘୋଷଣା କରିଛନ୍ତି। ଏହାଦ୍ବାରା କୋଭିଡ୍ ପରିଚାଳନାକୁ ବିକେନ୍ଦ୍ରୀକରଣ କରି ୱାର୍ଡସ୍ତରୀୟ କମିଟିକୁ ଦାୟିତ୍ବ ଦିଆଯାଇଛି। ତେବେ ଆଜି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଛନ୍ତି ଯେ ଜୁନ୍ ମାସ କରୋନା ମୁକାବିଲା ଲାଗି ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଥିସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ବେଳେ ରାଜ୍ୟର ହିତ ଲାଗି କେତେକ ଦାବି ଉପସ୍ଥାପନ କରିଛନ୍ତି। ସେ ରାଜ୍ୟକୁ ବିମାନ ଓ ରେଳ ସେବା ବନ୍ଦ ରଖିବାକୁ ଦାବି କରିଛନ୍ତି।
ଦେଶର ଅନ୍ୟ ପ୍ରାନ୍ତକୁ ବିମାନ ଓ ରେଳ ସେବା ମାଧ୍ୟମରେ ନ ଯୋଡ଼ିବା ସପକ୍ଷରେ ମତ ରଖିଛନ୍ତି ନବୀନ। ଏଥିସହ ଉପସାଗରୀୟ ଦେଶରେ ଫସିଥିବା ଗରିବ ଓଡ଼ିଆଙ୍କୁ ଭାରତ ସରକାର ରାଜ୍ୟକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ସମାପନ ପରେ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି।