ବିଜେଡି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ଭୋଟ ଉପରେ ସମସ୍ତଙ୍କ ନଜର ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିଓ୍ବେଟମାନେ ନିର୍ବାଚନ ସଭା ଓ ରୋଡ଼ ଶୋ କରି ଭୋଟ ମାଗୁଛନ୍ତି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ରୋଡ଼ ଶୋ କରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଜଳେଶ୍ଵର ଠାରେ ଆୟୋଜିତ ନିର୍ବାଚନ ସଭାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ାରେ ଯୋଗଦେଇ କହିଥିଲେ ଓଡ଼ିଶାରୁ ବିଜେଡି ସରକାର ଯିବା ପରେ ସେ ଓଡ଼ିଶା ଆସିବେ । ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ସୁଦ୍ଧା ବିଜେଡି ବହୁମତ ପାଇସାରିଛି । ତେବେ ବିଜେଡି ସରକାର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ର ସରକାର ଓଡ଼ିଶା ଲୋକଙ୍କୁ ସହଯୋଗ କରି ନଥିଲେ। ଅସୁବିଧା ବେଳେ ପାଖରେ ଠିଆ ନ ହୋଇ ଏବେ କେବଳ ଭୋଟ ମାଗିବାକୁ ଓଡ଼ିଶା ଆସୁଛନ୍ତି ବୋଲି ନବୀନ କହିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସମ୍ପର୍କରେ କହି ଦଳୀୟ ବିଧାୟକ ଓ ଏମପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଏହାପରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥାନାଛକସ୍ଥିତ ହେଲିପ୍ୟାଡ ପଡ଼ିଆଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ନବୀନ କହିଛନ୍ତି, ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ମୋ’ ପରିବାର । ଏଥିପାଇଁ ଓଡ଼ିଶାବାସୀଙ୍କର ମୁଁ ପ୍ରିୟ ହୋଇପାରିଛି । ଓଡ଼ିଆ ପରିବାରକୁ କେହି ଅବହେଳା କଲେ ମୁଁ ଚୁପ୍‌ ହୋଇ ବସିବି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି।

Leave a comment