ଚକମା ଦେଲେ ନବୀନ, କୋମାରେ ବିରୋଧୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁଜବର ଅନ୍ତ ଘଟିଛି । ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବିଭିନ୍ନ ଅପପ୍ରଚାର ହେଉଥିଲା । ବିରୋଧୀ ମଧ୍ୟ ଏହି ଅପପ୍ରଚାର ନିଆଁରେ ଘିଅ ଢାଳିଥିଲେ । ଏହାକୁ ନେଇ ଅନେକ ୱେବ ମିଡିଆରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା । ମାତ୍ର ଆଜି ମୁଖ୍ୟମନ୍ତ୍ରୀ କିଛି ନକହି ତାଙ୍କ ଚାଲିରେ ଏହାର ଉଚିତ ଜବାବ ଦେଇ ବିରୋଧୀଙ୍କୁ କୋମାକୁ ଠେଲି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଜିର ସ୍ମାର୍ଟ ଚାଲି ଦେଖି ହୋସ ଉଡିଯାଇଛି ବିରୋଧୀଙ୍କର । ସେମାନେ ପୁରା ହତବାକ । ଅପରପକ୍ଷରେ ଆଜିର କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଘମ ଚାଲି ବିଜେଡ଼ି କର୍ମୀଙ୍କ ଉତ୍ସାହକୁ ଦୁଇଗୁଣିତ ହୋଇଛି । ମୁଖ୍ୟମନ୍ତ୍ରୀ ଯେ କେବଳ ସାଧାରଣତନ୍ତ୍ର ଦିବସରେ ଯୋଗଦାନ କରିଥିଲେ ତାହା ନୁହେଁ, ସେ ଏହାପରେ ଲୋକସେବା ଭବନରେ ଥିବା ଉଦ୍ୟାନର ସୌନ୍ଦର୍ଯ୍ୟକୁ ମଧ୍ୟ ବୁଲି ଉପଭୋଗ କରିଥିଲେ । ତାଙ୍କୁ ଦେଖି ତିଳାର୍ଧେ ମଧ୍ୟ ଲାଗୁନଥିଲା କି ସେ ଅସୁସ୍ଥ ଥିଲେ । ସେହିପରି ୫ଟି ସଚିବ ଭି. କେ. ପଣ୍ଡିଆନ ସଦାସର୍ବଦା ମୁଖ୍ୟମନ୍ତ୍ରୀଙ୍କ ଜଣେ ବଡ଼ ଶୁଭଚିନ୍ତକ ଭାବେ ତାଙ୍କ ପାଖରେ ରହିଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ ସମ୍ପର୍ଣ୍ଣ ହେବ ସେଥିପାଇଁ ସେ ଖୁବ ତତ୍ପର । ୫ଟି ସଚିବଙ୍କ ଏହି କର୍ତ୍ତବ୍ୟନିଷ୍ଠା ପାଇଁ ଦଳୀୟ କର୍ମୀ ମଧ୍ୟ ଖୁବ ଉତ୍ସାହିତ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ଅସୁସ୍ଥ ଥିବା ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ମାତ୍ର ସେ ସୁସ୍ଥ ଥିବା ନେଇ ଦଳ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରକାଶ କରିଯାଇନଥିଲା । ଖୁବ ଶାନ୍ତ ସ୍ଵଭାଵ ସମ୍ପନ୍ନ ମୁଖ୍ୟମନ୍ତ୍ରୀ ଏସବୁକୁ ଖାତିର ନକରି ଆଜି ସାଧାରଣତନ୍ତ୍ର ଦିବସରେ ଗାନ୍ଧିମାର୍ଗ ଠାରେ ସଂମ୍ମାନୀୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଆଜିର କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ବିଜେଡ଼ିକୁ ଘେରିବାକୁ ପୂର୍ବରୁ ପ୍ରସ୍ତୁତ ଥିବା ବିରୋଧୀ କୋମାକୁ ଚାଲିଯାଇଛନ୍ତି ।

ଆଗକୁ ପଞ୍ଚାୟତ ନିର୍ବାଚନ । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଓ ସେଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଦେଖିଥିବା ସ୍ୱପ୍ନ ଆଜି ଚୁରମାର ହୋଇଯାଇଛି । ପୂର୍ବରୁ ମଧ୍ୟ ଅନେକ ଥର ବିରୋଧୀଙ୍କୁ କିଛି ନ କହି କାର୍ଯ୍ୟ କରି ଦେଖାଇଥିବା ନବୀନ ଆଜି ମଧ୍ୟ ସମାନ ନୀତି ଆପଣେଇଛନ୍ତି । ଯାହାକି ତାଙ୍କ ଛବିକୁ ଆହୁରି ସ୍ୱଚ୍ଛ କରିଦେଇଛି ।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନଥିବା, ସେ ଶଯ୍ୟାଶାୟୀ ଥିବା ନେଇ ବିରୋଧୀ ଚର୍ଚ୍ଚା କରୁଥିଲେ । ସେହିସମୟରେ ମୁଖ୍ୟମନ୍ତ୍ରୀଙ୍କ ଘରେ କାର୍ଯ୍ୟରତ କର୍ମଚାରୀଙ୍କୁ କାମକୁ ନଆସିବାକୁ କୁହାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଘଟଣା ପ୍ରଚାର ହେବାରୁ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ଚର୍ଚ୍ଚା ବିରୋଧୀଙ୍କ ମଧ୍ୟରେ ଜୋର ଧରିବା ଆରମ୍ଭ ହୋଇଥିଲା । ଅପରପକ୍ଷରେ ଯେଉଁ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୋଧ ରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିଲା ତା’ ବିରୁଦ୍ଧରେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାକୁ ନେଇ ବିଜେଡ଼ି ଦଳୀୟ କର୍ମୀଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

 

Leave a comment