ବଦଳିବ ପାଗ: ତାପମାତ୍ରା ପାର୍ କରିବ ୪୫ ଡିଗ୍ରୀ

ଭୁବନେଶ୍ବର: ତାତିରେ ଛଟପଟ ହେଉଛନ୍ତି ଓଡିଶାବାସୀ। ମାତ୍ର ଏବେ ପାଗରେ ପରିବର୍ତ୍ତନ ଆସିପାରେ। ୩ ତାରିଖରୁ ପାଗ ସାମାନ୍ୟ ବଦଳିବ। ୩ ଓ ୪ ତାରିଖରେ ରାଜ୍ୟର ତାପମାତ୍ରା ହ୍ରାସ ହେବ। ଦ୍ବିତୀୟ ସପ୍ତାହବେଳକୁ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି। କିଛି ଦିନ ହେଲା ପଶ୍ଚିମ ଓଡ଼ିଶା ଡହଡହ ଜଳୁଥିବାବେଳେ ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର କରିଛି।
ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ଆଭ୍ୟନ୍ତରଣ ଓଡ଼ିଶାର ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ଏବଂ ଅଳ୍ପ କେତେକ ସ୍ଥାନରେ ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।
ପ୍ରଫେସର ପଶୁପାଳକ କହିଛନ୍ତି, ମେ ମାସରେ ଓଡ଼ିଶା ସବୁଠୁ ଅଧିକ ଉତ୍ତପ୍ତ ରହିଥାଏ; କିନ୍ତୁ ଆକଳନରୁ ଜଣାପଡିଛି, ଚଳିତ ବର୍ଷ ମେ’ରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ରହିବ। ମାସର ଦ୍ବିତୀୟ ସପ୍ତାହ ପରେ କାଳବୈଶାଖୀ ପ୍ରଭାବ ଅଧିକ ରହିବା ଦ୍ବାରା ପାଗ ମେଘୁଆ ରହିବ। ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକରୁ କମ ରହିବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ସ୍ବାଭାବିକ ରହିବ। ଝାରସୁଗୁଡା, ରାଉରକେଲା, ବାରିପଦା ଏବଂ ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ।