ଆସନ୍ତା ୧୦ରେ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0

ମାର୍ଚ୍ଚ ୧୦ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତରେ ଯିବେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଵେ। ଏଥି ସହିତ ପ୍ରାୟ ୧୨୪ କୋଟି ବ୍ୟୟ ଅଟକଳରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କରିବେ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ହକି ତାଲିମ କେନ୍ଦ୍ର ତଥା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ ଉଦଘାଟନ କରିବେ।

ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏନେଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ବିଶ୍ବର ସର୍ବବୃହତ ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତା ୧୦ ତାରିଖରୁ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଆରମ୍ଭ ହେବ। ଏଠାରେ ଭାରତ ସମେତ ବିଶ୍ବବିଜୟୀ ଜର୍ମାନୀ ଓ ବିଶ୍ବ ରୢାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍‌ ୬ଟି ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳିବେ। ଭାରତ ତା’ର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୧୦ ତାରିଖରେ ଜର୍ମାନୀ ବିପକ୍ଷରେ ଖେଳିବ। ସେହିଭଳି ମାର୍ଚ୍ଚ ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ୧୨ରେ ଭାରତ ଓ ଅଷ୍ଟ୍ରେଲିଆ, ୧୩ରେ ଭାରତ ଓ ଜର୍ମାନୀ, ୧୪ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ମାର୍ଚ୍ଚ ୧୫ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

Leave a comment