କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ, ୪୭୦୩କୋଟି ମୂଲ୍ୟର ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଭିତିପ୍ରସ୍ତର
୧୪୩୭୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩୭୮ କୋଟି ଟଙ୍କାର ଦେଲେ ଋଣ ସହାୟତା

କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗସ୍ତରେ ଯାଇ ଜିଲ୍ଲାର ବିକାଶମୂଳକ କାମ ପାଇଁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ୧୪୩୭୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩୭୮ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ୧ଲକ୍ଷ ୫୮ ହଜାର ୬୫୫ ଜଣ ମହିଳା ସ୍ୱାବଲମ୍ବୀ ହେବା ଦିଗରେ ଆଗକୁ ବଢିବେ ।
ଏହାବାଦ୍ ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି । ୨୦୧୬ ମସିହାରେ ମେଡିକାଲ କଲେଜର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧରଣୀଧର କଲେଜରେ ୨୫ଟି ବ୍ଲକ ଓ ୧୮ଟି କୋଠା ନିର୍ମାଣ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରବାସୀଙ୍କ ପାଇଁ ନିଜ ଅଭିଭାଷଣ ରଖିଛନ୍ତି । ଜୟ ମା’ ତାରିଣୀ କହି ନବୀନ ଭାଷଣ ଆରମ୍ଭ କରିଥିଲେ । ବିପ୍ଲବୀ ଧରଣୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନବୀନ କହିଛନ୍ତି, କେବଳ କେନ୍ଦୁଝର ନୁହେଁ ସାରା ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଗୌରବର ଦିନ । କେନ୍ଦୁଝରବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇଛି । କେନ୍ଦୁଝରରେ ଡିଡି ମେଡିକାଲ କଲେଜର ଉଦଘାଟନ ହେଲା । ଏହା ରାଜ୍ୟର ୧୦ ମେଡିକାଲ କଲେଜ । ଆଶା କରୁଛି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ୱାଲିଟେଟିଭ୍ ହେଲଥ କେୟାର ଯୋଗାଇଦେବାରେ ଏହା ସଫଳ ହେବ । ଅଧିକ ଡାକ୍ତର ବାହାରିବେ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ ।
ଗରିବ ଲୋକମାନଙ୍କୁ ଆଉ ସ୍ୱାସ୍ଥ୍ୟ ସେବା ପାଇଁ କଟକ, ଭବନେଶ୍ୱର ଯିବାକୁ ପଡିବ ନାହିଁ । ଏହି ମେଡିକାଲ କଲେଜ ସହ, କ୍ୟାନସର କେୟାରିଂ ଓ ନର୍ସିଂ କଲେଜ ଖୁବଶୀଘ୍ର ଖୋଲାଯିବ । ମୁଁ ସବୁବେଳେ କହିଆସିଛି, ପ୍ରତିଟି ଜୀବନ ମୋ ପାଇଁ ମୁଲ୍ୟବାନ, ଏହି ନୀତି ଆମ ସ୍ୱାସ୍ଥ୍ୟସେବାକୁ ବାଟ ଦେଖାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଲୋକ ସୁବିଧା ପାଇଥିବେ ।ମା ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ୫ ଲକ୍ଷର ଚିକିତ୍ସା ସୁବିଧା ମିଳୁଛି । ଏ ଯୋଜନା ସାରା ଭାରତରେ ଭଲ ଯୋଜନା । ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୩୦ ହଜାର ଲୋକ ଏହାର ସୁବିଧା ନେଇଛନ୍ତି । ୧୮ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କେନ୍ଦୁଝରରେ ମଧ୍ୟ ୨୪ ହଜାର ଲୋକ ଏହି ଯୋଜନାରେ ସୁବିଧା ପାଉଛନ୍ତି ।
ସେହିଭଳି ନବୀନ କହିଛନ୍ତି, ଆମ ରାଜ୍ୟ ଏକ ଖଣି ସମୃଦ୍ଧ ଅଂଚଳ । ସାରା ରାଜ୍ୟର ବିକାଶରେ କେନ୍ଦୁଝରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କେନ୍ଦୁଝରରେ ବହୁ ମାତ୍ରରେ ଏସସି, ଏସଟି ଲୋକ ଅଛନ୍ତି । ଚାଷୀ ଭାଇ ଅଛନ୍ତି । ମିଲେଟ୍ ମିଶନରେ ଭଲ କାମ କରି ଆମ କେନ୍ଦୁଝରର ଚାଷୀ ଭାଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । କେନ୍ଦୁଝରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ।
କେନ୍ଦୁଝରର ବିକାଶ ପାଇଁ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା । ଯେଉଁଥିରେ ମା ମାନଙ୍କ କଲ୍ୟାଣଠୁ ଆରମ୍ଭ କରି ଚାଷୀ ଓ ସ୍କୁଲ ରୂପାନ୍ତର ଯୋଗାଯୋଗର ବିଭିନ୍ନ କାମ ଉପରେ ଜୋର ଦିଆଯାଇଛି । ମିଶନ୍ ଶକ୍ତିର ମା’ ମାନଙ୍କୁ ଉଦ୍ୟୋଗୀ କରିବା ସରକାରର ଲକ୍ଷ୍ୟ । ସେଥିପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଇଛି । କେନ୍ଦୁଝରର ମିଶନ ଶକ୍ତିର ମା’ଙ୍କୁ ୩୮୦ କୋଟି ଟଙ୍କା ସହାୟତା ଦିଆଯାଇଛି । ଚାଷୀ ମହିଳା ଓ ଯୁବ ସମାଜ ଆମର ରାଜ୍ୟର ତ୍ରି-ଶକ୍ତି । ଏହିମାନେ ହିଁ ଆମ ରାଜ୍ୟର ପ୍ରଗତିର ସାରଥୀ । ଏକ ବିକଶିତ ଓଡିଶାର ସ୍ୱପ୍ନକୁ ପୂରଣ କରିବାରେ ଏହି ତିନି ଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।