‘ନାଗରିକତା ପ୍ରମାଣପତ୍ର ଜରିଆରେ ଭାରତର ମାନବତା ଓ ଆଶ୍ରୟଦାନର ମୂଲ୍ୟବୋଧ ଉଜ୍ଜିବୀତ ହୋଇଛି’

0

ଭୁବନେଶ୍ୱର : ଆମ ପଡୋଶୀ ରାଷ୍ଟ୍ରମାନଙ୍କରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହେଉଥିବା ସଂଖ୍ୟାଲଘୁ ମାନଙ୍କ ପାଇଁ ନାଗରିକତା (ସଂଶୋଧନ) ଆଇନ ୨୦୧୯ ହେଉଛି ପାପନାଶିନୀ ଓ ଦୁଃଖନାଶିନୀ ପବିତ୍ର ଗଙ୍ଗା ପରି । ଏହି ପବିତ୍ର ଆଇନ ବର୍ଷ ବର୍ଷ ଧରି ନିର୍ଯ୍ୟାତିତ ସଂଖ୍ୟାଲଘୁମାନଙ୍କ ପାଇଁ ଆଶା ଓ ଆଶ୍ୱାସନାର ମାର୍ଗ ପ୍ରଦାନ କରିଛି । ନାଗରିକତା (ସଂଶୋଧନ) ଆଇନ ୨୦୧୯ ଅନୁଯାୟୀ ନାଗରିକତା ପ୍ରମାଣପତ୍ର ପ୍ରଦାନ ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରକ୍ରିୟାରେ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୩୫ ଜଣ ଆବେଦକଙ୍କୁ ନାଗରିକତା ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ।
ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଓଡିଶାର ଜନଗଣନା ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଗରିକତା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏବେ ଆମ ଭବିଷ୍ୟତର ଅଂଶବିଶେଷ । ଆପଣମାନଙ୍କ ସୁରକ୍ଷା, ସମ୍ମାନ ଓ ଉନ୍ନତି ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶରେ ସଂଖ୍ୟାଲଘୁ ମାନଙ୍କ ସ୍ୱର ହେବା ପାଇଁ ବ୍ୟାପକ ଶକ୍ତି ରହିଛି । କିନ୍ତୁ ଆମ ପଡୋଶୀ ରାଷ୍ଟ୍ରରେ ଅଳ୍ପସଂଖ୍ୟକ ମାନଙ୍କ ନିର୍ଯ୍ୟାତନା ଉପରେ ସେମାନେ ନୀରବ ରୁହନ୍ତି । ବର୍ତ୍ତମାନ ଏ ମାନସିକତାରେ ପରବର୍ତ୍ତନ ଆସୁଛି । ଧର୍ମନିରପେକ୍ଷତା ନାଁ ରେ ଯେପରି କେବଳ ଗୋଟିଏ ଧର୍ମକୁ ଆପ୍ୟାୟିତ କରାଯାଉଥିଲା ସେଥିରେ ବିରାମ ଲାଗିଛି । ଆଜି ଦେଶରେ ଧର୍ମୀୟ ଆଧାରରେ ଆଉ ବାଛ ବିଚାର ହେଉନାହିଁ । ଆଇନ ଆଖିରେ ସମସ୍ତେ ସମାନ ।
ସିଟିଜେନସିପ ଆମେଣ୍ଡମେଣ୍ଟ ଆକ୍ଟ ଏହି ସିଦ୍ଧାନ୍ତର ଏକ ସଫଳ ରୂପାୟନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବାଙ୍ଗଲାଦେଶ ଓ ପାକିସ୍ତାନରେ ନିର୍ଯାତିତ ହେଉଥିବା ନାଗରିକମାନେ ମୂଳତଃ ଭାରତର ଅଧିବାସୀ ହୁଏତ ସେମାନଙ୍କ ପୂର୍ବ ପୁରୁଷ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବେ । ଏହି ସଂଖ୍ୟାଲଘୁମାନଙ୍କ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଉଇଇ ଆଇନ ସଂଶୋଧନର ପରିକଳ୍ପନା କରିଥିଲେ । ନୂଆକରି ନାଗରିକତା ପାଇଥିବା ନବରଙ୍ଗପୁର ଜିଲ୍ଲାର ବାସିନ୍ଦାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଆପଣମାନଙ୍କୁ ନାଗରିକତା ପ୍ରମାଣପତ୍ର ମିଳିଲା । ଭାରତର ନାଗରିକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ, ଭୂମିହୀନଙ୍କୁ ଭୂମି ପ୍ରଦାନ କରାଯିବ ଏବଂ ଆବଶ୍ୟକସ୍ଥଳେ ଜାତି ପ୍ରମାଣପତ୍ର ମଧ୍ୟ ଯୋଗାଇ ଦିଆଯିବ । ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଦେଶ ସ୍ୱାଧୀନତା ପରେ ନିଜ ଭିଟାମାଟିରେ ଶରଣାର୍ଥୀ ହୋଇ ରହିବା ଅତ୍ୟନ୍ତ କଷ୍ଟଦାୟକ । ଆଜି ଏହି ନାଗରିକତା ପ୍ରମାଣପତ୍ର ପ୍ରଦାନ ମାଧ୍ୟମରେ ଏଥିରୁ ସେମାନଙ୍କୁ ମୁକ୍ତି ମିଳିଛି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ନୂଆକରି ନାଗରିକତ୍ୱ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୯୯୮ରୁ ବାଙ୍ଗଲାଦେଶରୁ ଆସିଥିବା ବାପିନ ମିର୍ଦ୍ଧା କହିଥିଲେ ଯେ, ଏହି ନାଗରିକତା ପ୍ରମାଣପତ୍ର ଆମକୁ ଭିଟାମାଟିର ବାସିନ୍ଦା ଭାବେ ନୂଆ ପରିଚୟ ଦେଇଛି । ଏହା ମାଧ୍ୟମରେ ଆମର ବହୁଦିନର ସ୍ୱପ୍ନ ପୂରଣ ହୋଇଛି । ଆଜିର ଏହି ଦିବସ ଆମକୁ ଭାରତୀୟ ନାଗରିକତ୍ୱ ଦେଇ ଗର୍ବିତ କରିଛି । କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କୁମାର ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂ ଧନ୍ୟବାଦ ଦେଇଥିଲେ ।

Leave a comment