ତିହାର ଜେଲ ଗଲେ ଚିଦାମ୍ବରମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ତିହାର ଜେଲ ପଠାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ସେପ୍ଟେମ୍ବର ୧୯ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ଚିଦାମ୍ବରମ ।
ସୂଚନା ଅନୁଯାୟୀ, ଆଇଏନଏକ୍ସ ମିଡିଆର ମନି ଲଣ୍ଡରିଂ ମାମଲାରେ ଗତ ୨୧ତାରିଖରେ ଗିରଫ କରିଥିଲା ସିବିଆଇ । ୫ଟି ପର୍ଯ୍ୟାୟରେ ତାଙ୍କୁ ୧୫ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା ସିବିଆଇ । ଏହି ୧୫ ଦିନର ଅବଧି ଆଜି ଶେଷ ହେବାରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରି ତିହାର ଜେଲକୁ ପଠାଇବାକୁ ନିବେଦନ କରିଥିଲା । ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଚିଦାମ୍ବରମଙ୍କୁ ୧୯ ସେପ୍ଟେମ୍ବର ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି ।
ଅପରପକ୍ଷରେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ କହିଥିଲେ, “କେସ ପୂର୍ବରୁ ଚିଦାମ୍ବରମ ବାହାରେ ଥିଲେ । ହେଲେ ସେ ପ୍ରମାଣ ନଷ୍ଟ କରିବାର କୌଣସି ତଥ୍ୟ ତଦନ୍ତକାରୀ ସଂସ୍ଥା ପାଇନାହିଁ । ଏଯାଏ ଚିଦାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ଏହି ମାମଲାରେ ଚାର୍ଜଶିଟ ଦାଖଲ ହୋଇନାହିଁ । ଚିଦାମ୍ବରମଙ୍କୁ କାହିଁକି ତିହାର ଜେଲ ପଠାଯିବ ? ଚିଦାମ୍ବରମ ଇଡି ରୁଜୁ କରିଥିବା ମନିଲଣ୍ଡରିଂ ମାମଲାରେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି । ଇଡି ତାଙ୍କୁ ନିଜ ହେପାଜତକୁ ନେବା ଉଚିତ ବୋଲି କପିଲ ଶିବଲ ଯୁକ୍ତି କରିଥିଲେ ।
ସେହିପରି ଇଡି ମଧ୍ୟ ବିଚାରପତି ଅଜୟ କୁମାରଙ୍କ ଆଗରେ ଦୁଇଟି ସର୍ତ୍ତ ରଖିଥିଲା । କୋର୍ଟ ଚିଦାମ୍ବରମଙ୍କୁ ସିବିଆଇ ମାମଲାରେ ଜାମିନ ଦିଅନ୍ତୁ ନଚେତ ତାଙ୍କୁ ତିହାର ଜେଲକୁ ପଠାଇ ଦିଅନ୍ତୁ। ଇଡି ମଧ୍ୟ ଚିଦାଙ୍କୁ ହେପାଜତକୁ ନେବାକୁ କୁଣ୍ଠାବୋଧ କରିବାରୁ ସିବିଆଇ ଚିଦାମ୍ବରମଙ୍କୁ ୧୦ ଦିନ ପାଇଁ ତିହାର ଜେଲକୁ ପଠାଇ ଦେଇଛି ।