ଚମ୍ପାଇ ସୋରେନ୍ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇପାରନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନେଇ ଇଡି ତାଙ୍କୁ ତାଙ୍କ ବାସଭବନରେ ପଚରାଉଚରା କରିବା ପରେ ସୋରେନ୍ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ସିପି ରାଧାକୃଷ୍ଣନ ମଧ୍ୟ ଇସ୍ତଫା ସ୍ୱୀକାର କରିଥିବା ସୂଚନା ମିଳିଛି।
ହେମନ୍ତ ସୋରେନ୍ ଇସ୍ତଫା ଦେବା ପରେ ଇଡି ତାଙ୍କୁ ଗିରଫ କରିବ ବୋଲି ସୂଚନା ମିଳିଛି। ହେମନ୍ତ ଗିରଫ ହେବା ପରେ ତାଙ୍କ ସ୍ଥାନରେ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ। ଏନେଇ ଝାଡ଼ଖଣ୍ଡ ମନ୍ତ୍ରୀ ବନ୍ନା ଗୁପ୍ତା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ସମସ୍ତେ ଚମ୍ପାଇ ସୋରେନ୍ଙ୍କୁ ବିଧାୟକ ଦଳର ନେତା ଚୟନ କରିଛୁ। ରାଜ୍ୟପାଳଙ୍କୁ ଭେଟି ନୂଆ ମୁଖ୍ୟମନ୍ତ୍ରୀ ଶପଥ ପାଠ ଉତ୍ସବ ଆୟୋଜନ କରିବାକୁ ଅନୁରୋଧ କରିଛୁ ବୋଲି ବନ୍ନା ଗୁପ୍ତା କହିଛନ୍ତି।
ଏହାପୂର୍ବରୁ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ପ୍ରଶ୍ନ ଉଠିଥିଲା। ହେଲେ ସୋରେନ ପରିବାରରେ ବିରୋଧର ସ୍ୱର ଉଠିବାରୁ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରାଯାଇଛି। ଜେଏମଏମ, କଂଗ୍ରେସ ଏବଂ ଆରଜେଡି ଦଳର ନେତାମାନେ ମିଶି ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରିଛନ୍ତି।
ସୂଚନା ଥାଉକି ଚମ୍ପାଇ ସୋରେନ୍ ବର୍ତ୍ତମାନ ଶଢ଼େଇକଳା ଆସନରୁ ବିଧାୟକ ଥିବା ବେଳେ ରାଜ୍ୟରେ ସଡ଼କ ପରିବହନ,ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଏଂବ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଅଛନ୍ତି। ଏଥିସହିତ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ଚମ୍ପାଇ ହେମନ୍ତଙ୍କର ବିଶ୍ୱସ୍ତ ବ୍ୟକ୍ତି ବୋଲି କୁହାଯାଉଛି।