୪ର୍ଥ ପର୍ଯ୍ୟାୟ ଲକଡାଉନ୍ ବିଫଳ; ଲୋକଙ୍କ ଖାତାରେ ୧୦,୦୦୦ ଟଙ୍କା ଜମା କରିବା ଦାବି ଉଠାଇବ କଂଗ୍ରେସ : ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାହୁଲ ଗାନ୍ଧୀ ମଙ୍ଗଳବାର କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ସମାଲୋଚନା କରିଛନ୍ତି । କହିଛନ୍ତି ଯେ, ଦୁଇମାସ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ଆମେ ୨୧ ଦିନରେ କରୋନା ଭାଇରସକୁ ହରାଇ ଦେବ। କିନ୍ତୁ ୬୦ ଦିନପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବୃଦ୍ଧି ପାଉଛି । ଅନ୍ୟଦେଶରେ ଲକଡାଉନ ବଢାଯାଉଥିବା ବେଳେ ଆମ ଦେଶରେ ଲକଡାଉନ୍ ହଟିବାକୁ ଯାଉଛି । ଦେଶରେ ଲକଡାଉନ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି।

ରାହୁଲଙ୍କ ଅନୁସାରେ ୪ ପର୍ଯ୍ୟାୟର ଲକଡାଉନରୁ କିଛି ମଧ୍ୟ ସୁଫଳ ମିଳିନାହିଁ । ଲକଡାଉନ୍ ଫେଲ ହୋଇଛି,ଏବେ ସରକାରଙ୍କ ପାଖରେ ପ୍ଲାନ୍ ବି କଣ ଅଛି ବୋଲି ସେ ପଚାରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ୟାକେଜ୍ ଦେଇଛନ୍ତି ତା’ଦ୍ୱାରା ଦେଶକୁ କିଛି ମଧ୍ୟ ଲାଭ ମିଳିବ ନାହିଁ ବୋଲି ରାହୁଲ କହିଛନ୍ତି। ଗରିବଙ୍କୁ ଅଧିକ ଟଙ୍କା ଦିଆଗଲେ ବାହାର ଦେଶକୁ ଖରାପ ସନ୍ଦେଶ ଯିବ ବୋଲି ସରକାରରେ ବସିଥିବା ନୀତିନିର୍ଧାରକ ମାନେ ଭାବୁଛନ୍ତି କିନ୍ତୁ ଏହି ଗରିବ ମାନେ ହିଁ ଦେଶର ଶକ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ,ସରକାର ଶ୍ରମିକଙ୍କ ଆସ୍ଥା ହରାଇଛନ୍ତି। ସରକାର ଏବେବି ଶ୍ରମିକଙ୍କୁ ସହାୟତା କରିପାରିବେ।

ଅନ୍ୟପକ୍ଷରେ, ଦେଶରେ ଜାରି କରୋନା ଭୂତାଣୁ ସଂକ୍ରମଣ ମଧ୍ୟରେ କଂଗ୍ରେସ ସରକାର ଲୋକଙ୍କ ଖାତାରେ ୧୦ ହଜାର ଟଙ୍କା ଜମା କରିବାକୁ ଦାବି କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି, କୋଭିଡ୍-୧୯ ସଙ୍କଟ କାରଣରୁ ଲୋକଙ୍କ ପ୍ରସଙ୍ଗ ଉଠାଇବା ପାଇଁ ମେ ୨୮ରେ ପାର୍ଟି ଦ୍ଵାରା ରାଜ୍ୟଗୁଡିକରେ ଏକ ଅନ୍ଲାଇନ୍ ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କୁ ଆୟକର ପରିଧିରୁ ବାହାରେ ଥିବା ସମସ୍ତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ଜମା କରିବାକୁ ଦାବି ଉଠାଇବ। ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତୃତ୍ଵରେ ଶୁକ୍ରବାର ହୋଇଥିବା ବିରୋଧୀ ଦଳ ବୈଠକରେ ୧୧ ଦଫା ଦାବି ରଖାଯାଇଥିଲା, ଏଥିରେ ଏହି ଦାବି ମଧ୍ୟ ଉଠାଯାଇଥିଲା।
ଏହା ପୂର୍ବରୁ କଂଗ୍ରେସ ଶୁକ୍ରବାର ୨୨ ବିରୋଧୀ ଦଳ ସହିତ ଦେଶରେ କରୋନା ସଙ୍କଟକୁ ନେଇ ବିସ୍ତୃତ ଆଲୋଚନା କରିଥିଲା।
ଅନ୍ୟପଟେ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ବୈଠକରେ କହିଛନ୍ତି, ଯଦି ସରକାରଙ୍କ ପକ୍ଷରୁ ଗରିବ, ଶ୍ରମିକ, କୃଷକ ଓ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆର୍ଥିକ ସହାୟତା ଦିଆନଯାଏ ତେବେ ଦେଶର ଆର୍ଥିକ ସ୍ଥିତି ଧ୍ଵଂସ ହୋଇଯିବ।

Leave a comment